ଅସ୍ଥାୟୀ ବିସର୍ଜନ ପୋଖରୀରେ କୁଢ଼ କୁଢ଼ ପଲିଥିନ: ପ୍ଲାଷ୍ଟିକ ବର୍ଜନ ପାଣିର ଗାର

ପୁରୁଣା ଭୁବନେଶ୍ୱର,୧୧।୧୦(ଡି.ଏନ.ଏ.) : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ୍‌ ଓ ପଲିଥିନ ବର୍ଜନକୁ ସମର୍ଥନ କରି ଚଳିତବର୍ଷ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ସମର୍ଥନ ଜଣାଇଥିଲେ। ପାର୍ବଣ ଅବସରରେ ପୂଜା ମଣ୍ଡପ କର୍ମକର୍ତ୍ତାମାନେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବଦଳରେ ପାରମ୍ପରିକ ବାଉଁଶ ନିର୍ମିତ ଡ଼ାଲା ଓ ବାଉଁଶିଆ ବ୍ୟବହାର ଉପରେ ଗୁରୁତ୍ୱ ଦେବେ ବୋଲି କହିଥିଲେ। ମାତ୍ର ବିସର୍ଜନ ସମୟରେ ଅସ୍ଥାୟୀ ପୋଖରୀରେ କୁଢ କୁଢ ପ୍ଲାଷ୍ଟିକ ବୋତଲ, ଗ୍ଲାସ ଓ ପଲିଥିନ୍‌ ଦେଖିଲେ ଏସବୁ ପାର୍ବଣ ସମୟରେ ବାହୁସ୍ଫୋଟ ମାରିଲା ଭଳି ଜଣାପଡ଼ିଥିଲା। ବିସର୍ଜନ ସମୟରେ ରାସ୍ତାଘାଟ ସବୁଆଡ଼େ ପଲିଥିନ୍‌ ଓ ପ୍ଲାଷ୍ଟିକ ବୋତଲ ଏଣେତେଣେ ପଡିଥିବାର ଦେଖାଯାଇଥିଲା। ଲୋକଙ୍କ ମତରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ସହ ମୂର୍ତ୍ତିଗୁଡ଼ିକରେ ବ୍ୟବହୃତ ହୋଇଥିବା ବିଭିନ୍ନ କେମିକାଲ କାରଣରୁ ବର୍ତ୍ତମାନ ଦୟାନଦୀ ବିସର୍ଜନ ଘାଟ କୂଳ ପ୍ରଦୂଷିତ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ଅସ୍ଥାୟୀ ପୋଖରୀରୁ ଏହିସବୁ ପ୍ଲାଷ୍ଟିକ୍‌, ପଲିଥିନ୍‌ ସହ କେମିକାଲ ମିଶ୍ରିତ ଜଳ କିଭଳି ମୁଖ୍ୟନଦୀରେ ନ ମିଶିବ ଏଥିପ୍ରତି ନଦୀ କୂଳ ବାସିନ୍ଦା ଦାବି କରିଛନ୍ତି।