ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ମନ୍ତ୍ରୀଙ୍କୁ ପ୍ରସ୍ତାବ

ଭୁବନେଶ୍ୱର,୪।୨(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ଲୋକ ସେବା ଭବନଠାରେ ଓଡ଼ିଶା ପୌର କର୍ମଚାରୀ ମହାସଂଘର ଅସ୍ଥାୟୀ କର୍ମଚାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପସ୍ଥିତ ଥିବା ଅସ୍ଥାୟୀ ପୌର କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଛି। ଓଡ଼ିଶା ପୌର କର୍ମଚାରୀ ମହାସଂଘର ସଭାପତି ପ୍ରଭାତ ତ୍ରିପାଠୀ ଏହି ଅବସରରେ ରାଜ୍ୟର ୩ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ସମ୍ପର୍କରେ ମନ୍ତ୍ରୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଜେନା ରାଜ୍ୟର ଅସ୍ଥାୟୀ ପୌର କର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବା ସମ୍ପର୍କରେ ଲିଖିତ ଆବେଦନପତ୍ର ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।