ଅସୁସ୍ଥ ବୃଦ୍ଧାଙ୍କ ପାଖକୁ ଦୌଡ଼ିଗଲେ ମୋଦି, ଜୁସ୍‌ ପିଆଇବା ସହ ଦେଲେ ଏହି ପରାମର୍ଶ, ଭାବବିହ୍ବଳ ହେଲେ…

ବେଙ୍ଗାଲୁରୁ,୧୪।୧୧: କର୍ନାଟକର ମୈସୁରୁରେ ଏକ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାନବିକତାର ଏକ ଦୃଶ୍ୟ ସାମ୍ନାକୁ ଆସିଛି । କାର୍ଯ୍ୟକ୍ରମରେ ଜଣେ ବୟସ୍କ ମହିଳା ଅସୁସ୍ଥ ଅନୁଭବ କରିବାରୁ ମୋଦି ନିଜେ ତାଙ୍କ ପାଖକୁ ଯାଇ ସ୍ଥିତି ବୁଝିବା ସହ ତୁରନ୍ତ ସହାୟତାର ବ୍ୟବସ୍ଥା କରିଥିଲେ । ଏହି ଘଟଣାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି।

ଶୁକ୍ରବାର ମୈସୁରୁରେ କସ୍ମସ୍‌ ପ୍ଲାନେଟୋରିୟମ୍‌ (COSMOS Planetarium)ର ଉଦ୍‌ଘାଟନ ସମୟରେ ଏହି ଘଟଣା ଘଟିଥିବା ରିପୋର୍ଟରେ କୁହାଯାଇଛି। ନଞ୍ଜନଗୁଡ଼ ଟାଉନ୍‌ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷା ତଥା ଭାଜପା କର୍ମୀ ପ୍ରେମା ସିମ୍ବୈୟାଙ୍କୁ ହଠାତ୍‌ ମୁଣ୍ଡ ବୁଲାଇବା ସହ ଦୁର୍ବଳ ଅନୁଭବ ହୋଇଥିଲା। ସେ ତଳେ ପଡ଼ିଯିବା ଭଳି ସ୍ଥିତିରେ ଥିବା ଦେଖି ମୋଦି ତାଙ୍କ ପାଖକୁ ଯାଇଥିଲେ। ମହିଳାଙ୍କୁ ସମ୍ଭାଳିବାରେ ସହାୟତା କରିବା ସହ ତାଙ୍କୁ ଜୁସ୍‌ ଦିଆଯାଇଥିଲା। ଏହାସହ ନିଜ କନଭୟରେ ଥିବା ଜଣେ ଡାକ୍ତରଙ୍କୁ ମହିଳାଙ୍କ ଚିକିତ୍ସା ଓ ଯତ୍ନ ନେବାକୁ ମୋଦି କହିଥିବା ଜଣାପଡ଼ିଛି।

ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ନିଜର ଏକ୍ସ ହ୍ୟାଣ୍ଡେଲ୍‌ରେ ଏହି ଘଟଣାର କିଛି ଫଟୋ ସେୟାର କରାଯାଇଛି । ସେଥିରେ ୭୦ ବର୍ଷୀୟା ପ୍ରେମା କେ.ଙ୍କୁ ମୁଣ୍ଡ ବୁଲାଇବାରୁ ଦୁର୍ବଳ ଲାଗିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ଅବସ୍ଥା ବୁଝିଥିବା ଏବଂ ତୁରନ୍ତ ଚିକିତ୍ସା ସହ ଇଲେକ୍ଟ୍ରୋଲାଇଟ୍‌ ଦେବାର ବ୍ୟବସ୍ଥା କରିଥିବା ଉଲ୍ଲେଖ କରାଯାଇଛି।

ଏହାପୂର୍ବରୁ ମୈସୁରୁରେ ପହଞ୍ଚିବା ପରେ ମୋଦିଙ୍କୁ ଲୋକେ ଭବ୍ୟ ସ୍ୱାଗତ କରିଥିଲେ। ଏହାର ଭିଡିଓ ମଧ୍ୟ ସେ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ସେୟାର କରିଥିଲେ। ଅନ୍ୟପଟେ କର୍ଣ୍ଣାଟକରେ ୧୫ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଆରମ୍ଭ କରାଯାଉଥିବା ନେଇ ମଧ୍ୟ ସେ ସୂଚନା ଦେଇଥିଲେ ।

 

Dharitri – Odisha’s No.1 Odia Daily

Share