ଅସୁରକ୍ଷିତ ଶ୍ରମିକଙ୍କୁ ସହାୟତା

ବରଗଡ଼ ଅଫିସ୍‌,୨୪।୪: ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କୁତ୍ରାମାଲ ଏବଂ ବରପାଲି ଗ୍ରାମର ୧୨ଜଣ ଦାଦନ ଶ୍ରମିକ ଇଟା ଗଢ଼ିବାକୁ ଯାଇ ପୁରୀ ଜିଲା ଗୋପ ବ୍ଲକର ଅଚ୍ୟୁତପୁର ଗ୍ରାମରେ ଅସୁରକ୍ଷିତ ଜାଗାରେ ରହୁୁଥିଲେ । ଲକ୍‌ ଡାଉନ୍‌ ଯୋଗୁ କାମ ବନ୍ଦ ପଡ଼ିଥିବାରୁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିକି ଇଟାଭାଟି ମାଲିକ ତାଙ୍କର ବକେୟା ପାଉଣା ମଧ୍ୟ ଦେଉ ନ ଥିବା ଅଭିଯୋଗ ହୋଇଥିଲା। ଏ ନେଇ ଫୋନ ମାଧ୍ୟମରେ ଜଣେ ଶ୍ରମିକ ବରଗଡ଼ ଜିଲା ବିଜେପୁର ବ୍ଲକର ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କ ଜଣାଇଥିଲେ। ପରେ ସାମାଜିକ କର୍ମୀ ସାହୁ ତୁରନ୍ତ ତାଙ୍କୁ ସରକାରୀସ୍ତରରେ ଥଇଥାନ ଏବଂ ରାଶନ ସହାୟତା ପ୍ରଦାନ କରିବାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ପୁରୀ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ । ଫଳସ୍ବରୂପ ପୁରୀ ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ସେଠାକାର ସରପଞ୍ଚ ଶ୍ରମିକଙ୍କ ପାଖକୁ ଯାଇ ଇଟାଭାଟି ମାଲିକଙ୍କୁ ତାଗିଦ୍‌ କରି ସନ୍ଧ୍ୟା ସୁଦ୍ଧା ପାଉଣା ଦେବାକୁ କହିଥିଲେ । ଏହା ସଙ୍ଗେ ସଙ୍ଗେ ଶ୍ରମିକଙ୍କୁ ଗୋଟିଏ ପ୍ୟାକେଟ ଚାଉଳ ସହିତ ୨ହଜାର ଟଙ୍କା ପ୍ରଦାନ କରିଥିଲେ । ଉକ୍ତ ଶ୍ରମିକମାନଙ୍କୁ ସେଠାକାର ପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ଦିଆଯାଇଥିବା ସୂଚନା ମିଳିଛି । ଏହିସବୁ ସହାୟତା ପାଇବା ପରେ ଶ୍ରମିକମାନେ ସାମାଜିକ କର୍ମୀ ସାହୁଙ୍କ ଫୋନ ଯୋଗେ ଧନ୍ୟବାଦ ଜଣାଇବା ସହିତ ଲକ୍‌ ଡାଉନ୍‌ ପରେ ଘରକୁ ନେବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ସରକାରୀ ପୋର୍ଟାଲରେ ପଞ୍ଜୀକରଣ ପାଇଁ ସାହୁ ସେହି ଶ୍ରମିକଙ୍କୁ ପରାମର୍ଶ ଦେଇଛନ୍ତି ।