ଅସୁରକ୍ଷିତ ଗଜରାଜ

ହାତୀଙ୍କ ଲାଗି ଅସୁରକ୍ଷିତ ହୋଇଛି ଖୋର୍ଦ୍ଧା ବନଖଣ୍ଡ। ଗତ ୧୫ବର୍ଷରେ ଏହି ବନଖଣ୍ଡରେ ଯାଇଛି ୭ ହାତୀଙ୍କ ଜୀବନ। ୧୧ବର୍ଷରେ ଘଟିଛି ୨୦ଜଣଙ୍କ ପ୍ରାଣହାନୀ। ଏଥିପାଇଁ ବନ ବିଭାଗର ଆନ୍ତରିକତା ଅଭାବ ଏବଂ ଜିଲା ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ପରିବେଶପ୍ରେମୀ। ମାର୍ଚ୍ଚ ୧୮ରେ ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ମଲାଗୁଣୀ ନଦୀପଠାସ୍ଥିତ ସରପାରୀ ପଞ୍ଚାୟତର ବାରୋଡା ମୌଜାରେ ଅସୁସ୍ଥ ଅବସ୍ଥାରେ ଏକ ମାଈ ହାତୀ ଦୁଇ ଦିନ ଧରି ଜୀବନ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲା। ଉପଯୁକ୍ତ ଚିକିତ୍ସାରେ ଅବହେଳା ଏବଂ କୀଟନାଶକ ପ୍ରୟୋଗ ଏହି ହାତୀ ମୃତ୍ୟୁକାରଣର ବୋଲି ମତ ପ୍ରକାଶ ପାଇଥିଲା। ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ କହି ନିଜ ଉପରୁ ଦୋଷ ଖସାଇ ଦେଇଛନ୍ତି କର୍ତ୍ତୃପକ୍ଷ। ବନ ବିଭାଗ ତଥ୍ୟ କହୁଛି ୨୦୦୬ ଜାନୁୟାରୀ ୧୨ ରଣପୁର ରେଞ୍ଜରେ ଏକ ମାଈ ହାତୀ ମୃତ ଶରୀର ଠାବ ହୋଇଥିଲା। ୨୦୦୮ଜାନୁୟାରୀ ୩ରେ ଖୋର୍ଦ୍ଧା ବନାଞ୍ଚଳ ବରୁଣେଇ ପାହାଡରେ ସଂକ୍ରାମଣ ରୋଗରେ ପୀଡିତ ଏକ ମାଈହାତୀର ମୃତ୍ୟୁ ଘଟିଥିଲା। ସେହିବର୍ଷ ଏହି ବନାଞ୍ଚଳ ଅନ୍ତର୍ଗତ ଜାନୁୟାରୀ ୨୯ ମଧୁପୁରରେ ଶିକାରୀ ଗୁଳିରେ ଏକ ହାତୀ ଟଳି ପଡିଥିଲା। ପୁଣି ୨୦୧୦ଡିସେମ୍ବର୧୪ କୁଶପାଙ୍ଗୀ ଜଙ୍ଗଲରେ ଏକ ହାତୀର ମୃତ୍ୟୁ ଘଟିଥିଲା। ୨୦୧୭ ଡିସେମ୍ବର୨ରେ ଟାଙ୍ଗୀ ବନାଞ୍ଚଳ ରାମେଶ୍ୱର ଖଜୁରୀପଡା ଗ୍ରାମ ନିକଟରୁ ଆଉ ଏକ ମାଈ ହାତୀର ଗଳିତ ମୃତଦେହ ଜବତ ହୋଇଥିଲା। ୨୦୧୯ ନଭେମ୍ବର୨୨ ମାସରେ ଜଙ୍କିଆ ଥାନା ମଲାଗୁଣୀ ନଦୀତଟ ଅଚ୍ୟୁତପୁରଠାରୁ ଏକ ଦନ୍ତାହାତୀର ମୃତଦେହ ମିଳିଥିଲା। ବିଷକ୍ରିୟା ଯୋଗୁ ହାତୀର ମୃତ୍ୟୁ ଘଟିଥିବା ଚର୍ଚ୍ଚା ହୋଇଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇ ନ ଥିବା ଦର୍ଶାଇ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଏହାକୁ ଚତୁରତାର ସହିତ ଏଡାଇ ଯାଇଥିଲେ। ସେହିପରି ଗତ ୨୦୦୯ରୁ ୨୦୨୦ ମଧ୍ୟରେ ହାତୀ ଓ ମଣିଷ ଲଢେଇରେ ୨୦ଜଣ ପ୍ରାଣ ହାରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୩ ଜଣଙ୍କ ପ୍ରାଣହାନୀ ଘଟିଛି। ଏପରି ସ୍ଥିତିକୁ ସୁଧାରିବା ଉପରେ ବୁଦ୍ଧିଜୀବୀମାନେ ଗୁରୁତ୍ୱାରୋପ କରିଛନ୍ତି।