ଅସହାୟଙ୍କ ଦୁଃଖ ବୁଝିଲେ ଜିଲାପାଳ

ଅନୁଗୋଳ ଅଫିସ, ୧୪।୪
କରୋନା କଟକଣା ପାଇଁ ସୋମବାର ଓଡ଼ିଆ ନବବର୍ଷ ସାଙ୍ଗକୁ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଫିକା ପଡ଼ିଯାଇଛି। ଓଡ଼ିଆ ଘରର ଏହି ବଡ଼ ପର୍ବରେ କାଳେ କେହି ଅମାନିଆ କଟକଣାକୁ ବେଖାତିର କରି ଦେବାଳୟକୁ ଚାଲିଆସିବେ ତାହାକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ସହରରେ ରହୁଥିବା ଅସହାୟ ଲୋକଙ୍କୁ ଭେଟି ମିଳୁଥିବା ସେବା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ପୌରପାଳିକା ଓ ସହରର ବିଭିନ୍ନ ସ୍ଥାନ ବୁଲି ଲକ୍‌ଡାଉନ୍‌ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ଜିଲାପାଳ ମହାନ୍ତି ବରିଷ୍ଠ ଅଧିକାରୀଙ୍କ ସହ ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ମେଡିକାଲର କୋଭିଡ -୧୯ ହସ୍ପିଟାଲ ପରିଦର୍ଶନ କରିଥିଲେ। ଅନୁଗୋଳ ସିଡିଏମ୍‌ଓ (ମେଡିକାଲ) ପ୍ରତାପ ବେହେରା, ସେଣ୍ଟ୍ରାଲ ହସ୍ପିଟାଲର ପରିଚାଳନା ମୁଖ୍ୟ ମନୋଜ କୁମାର ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହାକୁ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।