ଅସହାୟଙ୍କ ଅନ୍ତିମ ସଂସ୍କାର କଲେ

ଅନୁଗୋଳ ସହର, ୩୦ା୧: ଅସହାୟ ଅବସ୍ଥାରେ ଉଦ୍ଧାର ହୋଇ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ ମାଧପୁର ଗ୍ରାମର ପ୍ରମୋଦ ନାଏକ(୫୦)ଙ୍କ ବୁଧବାର ମୃତ୍ୟୁ ହୋଇଛି। ମା’ ପାତି ନାଏକ(୭୦) ଓ ପ୍ରମୋଦଙ୍କୁ ଜିଲାର ସାଥୀ ପରିବାର ସଦସ୍ୟମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିବାବେଳେ ପ୍ରମୋଦଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାର କରାଇ ଉଦାହରଣ ସୃଷ୍ଟି କରିଛନ୍ତି।
ଭୋକ ଉପାସରେ ପଡିରହିଥିବା ମାନସିକ ରୋଗାକ୍ରାନ୍ତ ପ୍ରମୋଦ ଓ ତାଙ୍କ ମା’ଙ୍କୁ ଗତ ୬ ତାରିଖରେ ସାଥୀ ପରିବାର ପକ୍ଷରୁ ଉଦ୍ଧାର କରାଯାଇ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବୁଧବାର ସକାଳେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କର କୌଣସି ସମ୍ପର୍କୀୟ ନ ଥିବାରୁ ଅନୁଗୋଳ ଥାନା କଞ୍ଜନୀ ଓ ପୁରୁଣାକୋଟ ଥାନା ଶରଧାପୁର ଗ୍ରାମର ଦୂର ସମ୍ପର୍କୀୟଙ୍କୁ ଡକାଇ ଡାକ୍ତରଙ୍କ ଅଭିଯୋଗ କ୍ରମେ ବନ୍ତଳା ଏଏସ୍‌ଆଇ ବି. ଏନ୍‌. ସାହୁ ମୃତଦେହ ବ୍ୟବଚ୍ଛେଦ କରାଇଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ବ୍ୟବଚ୍ଛେଦ ପୂର୍ବରୁ ସାଥୀ ପରିବାରର ସଦସ୍ୟମାନେ ପ୍ରମୋଦଙ୍କ ମା’ଙ୍କୁ ଆଣି ପୁଅର ଶେଷଦର୍ଶନ କରିବାର ବ୍ୟବସ୍ଥା କରାଇଥିଲେ। ସଙ୍ଗଠନର ସୁବ୍ରତ ପ୍ରଧାନ, ଶୁଭେନ୍ଦୁ ସାହୁ, ସମ୍ବିତ ସାହୁ, ଅମରେଶ ପ୍ରଧାନ, ସିଦ୍ଧାର୍ଥ ପ୍ରଧାନ, ସୌଭାଗ୍ୟ ରଞ୍ଜନ ପ୍ରଧାନ, ଆଦିତ୍ୟ ବେହେରା, ସାମାଜିକକର୍ମୀ ପ୍ରତାପ ପ୍ରଧାନ, ଦିନେଶ ଦେହୁରୀ, ପ୍ରଭାତ ବେହେରା ପ୍ରମୁଖ ସହଯୋଗ କରିଥିଲେ।