Categories: ଖେଳ

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଓ୍ବର୍ନ ନିଲାମ କରିବେ ପଦାର୍ପଣ କ୍ୟାପ

ସିଡ୍‌ନୀ,୬।୧- ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ କାରଣରୁ ପ୍ରାୟ ୫୦ କୋଟି ବନ୍ୟ ଜନ୍ତୁ ଜୀବନ ହରାଇ ସାରିଲେଣି। କେବଳ ଏତିକି ନୁହେଁ ବହୁ ନିୟୁତ ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଜନସାଧାରଣଙ୍କ ମୃତ୍ୟୁ ଘଟିଛି। ଏଭଳି ଭୟଙ୍କର ପରିସ୍ଥିତିରେ ସାହାଯ୍ୟ ପାଇଁ ଦେଶର ବହୁ କ୍ରୀଡ଼ାବିତ ଆଗେଇ ଆସିଛନ୍ତି। ଏହି ତାଲିକାରେ ଯୋଡ଼ି ହୋଇଛନ୍ତି କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ ଓ୍ବର୍ନ। ତାଙ୍କ କ୍ରିକେଟ କ୍ୟାରିୟରର ସହ ଜଡ଼ିତ ସବୁଠୁ ମୂଲ୍ୟବାନ ସ୍ମୃତିକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟେଷ୍ଟ କ୍ରିକେଟ ଇତିହାସରେ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଥିବା ବୋଲର ଓ୍ବର୍ନ ନିଜ ପଦାର୍ପଣବେଳେ ପାଇଥିବା ନ୍ୟାଶନାଲ କ୍ୟାପକୁ ନିଲାମ କରିବେ। ତାଙ୍କର ଉକ୍ତ ଗ୍ରୀନ କ୍ୟାପର ଚାହିଦା ମଧ୍ୟ ଖୁବ ଅଧିକ। କ୍ୟାପ ସହ ଓ୍ବର୍ନଙ୍କ ହସ୍ତାକ୍ଷର ଥିବା ପ୍ରମାଣପତ୍ର ବି ନିଲାମରେ ରହିବ। ଅନ୍‌ଲାଇନ ନିଲାମ ପ୍ରକ୍ରିୟାରୁ ମିଳିବାକୁ ଥିବା ଶତ ପ୍ରତିଶତ ଅର୍ଥ ରେଡ୍‌ କ୍ରସ ପାଣ୍ଠିକୁ ଦାନ କରିବେ। ସୂଚନାଥାଉ, ଓ୍ବର୍ନ ୧୪୫ ଟେଷ୍ଟ ଖେଳି ୭୦୮ ଉଇକେଟ ନେଇଥିଲେ। ତାଙ୍କ ଅବସର ବେଳକୁ ସେ ସର୍ବାଧିକ ଟେଷ୍ଟ ଉଇକେଟ ହାତେଇଥିବା ବୋଲର ଥିଲେ।

Share