ଅଷ୍ଟ୍ରେଲିଆ ଗବେଷକଙ୍କ ମତ: ଦୁଇଟି ଔଷଧ କୋଭିଡ-୧୯କୁ ଆରୋଗ୍ୟ କରିପାରେ

ମେଲବୋର୍ନ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ବା କୋଭିଡ-୧୯ର ଚିକିତ୍ସା ପାଇଁ ଗବେଷକମାନେ ଦିନରାତି ଏକ କରିଦେଇଥିବା ଜଣାପଡିଛି। ଏବେ ଅଷ୍ଟ୍ରେଲିଆର ବିଶେଷଜ୍ଞମାନେ କହିଛନ୍ତି ଆମ ପାଖରେ ଥିବା ୨ଟି ଔଷଧ ଦ୍ୱାରା କୋଭିଡ-୧୯କୁ ଆରୋଗ୍ୟ କରାଯାଇ ପାରିବ। ଏଥିମଧ୍ୟରୁ ଗୋଟିଏ ଏଚ୍‌ଆଇଭି ପାଇଁ ବ୍ୟବହାର ହେଉଥିବା ବେଳେ ଅନ୍ୟଟି ମ୍ୟାଲେରିଆ ପାଇଁ ବ୍ୟବହାର ହେଉଥିବା କ୍ଲେରୋକୁଇନ୍‌ ବୋଲି ସେମାନେ କହିଛନ୍ତି। ୟୁନିଭର୍ସିଟି ଅଫ୍‌ କୁଇନ୍ସଲାଣ୍ଡ ସେଣ୍ଟର ଫର୍‌ କ୍ଲିନିକାଲ ରିସର୍ଚ୍ଚର ନିର୍ଦ୍ଦେଶକ ଡାଭିଡ ପେଟରଶନ news.com.auକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା ଏବେ ମନୁଷ୍ୟ ଉପରେ ପରୀକ୍ଷା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଅଷ୍ଟ୍ରେଲିଆରେ ପ୍ରଥମେ କୋଭିଡ-୧୯ର ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହାର କରାଯାଇଥିବା ବେଳେ ରୋଗୀ ସମ୍ପୂର୍ଣ୍ଣ ଠିକ୍‌ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।

Share