ଅଳଙ୍କାର ଦୋକାନରୁ ଲୁଟ୍‌ : ସିସିଟିଭି ଫୁଟେଜରୁ ଧରାପଡ଼ିଲେ ଦୁଇ ମହିଳା

ବାଲୁଗାଁ ,୨୯।୧୦(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବାଲୁଗାଁ  ବଜାରସ୍ଥିତ ଏକ ଜୁଏଲେରୀ ଦୋକାନରୁ ଗତ ଶନିବାର ମଧ୍ୟାହ୍ନରେ ଅଳଙ୍କାର କିଣିବା ବାହାନାରେ ୪ ମହିଳା ରୁପା ଗହଣା ଲୁଟି ନେଇଥିଲେ ।  ଏ ନେଇ ସିସିଟିଭ ଫୁଟେଜରୁ ଉତ୍ତୋଳିତ ଚିତ୍ରରୁ ଜଣାପଡିଛି। ରବିବାର ପୁନର୍ବାର ସେମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଉକ୍ତ ଦୋକାନକୁ ଆସି ଲୁଟିବା ପାଇଁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି ।  ସେମାନେ ନଈରୀ ଗ୍ରାମର ବୋଲି ଜଣାପଡିଛି। ସେମାନଙ୍କଠାରୁ ୩ହଳ ରୁପା ପାଉଁଜି ପୋଲିସ ଜବତ କରିଛି ।  ଏହି ଘଟଣା ବାଲୁଗାଁ  ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
ଖବର ନେବାରେ ଜଣାଯାଇଛି ଶନିବାର ମଧ୍ୟାହ୍ନ ପ୍ରାୟ ୨ଟାରେ ଏସ୍‌ବି ଜୁଏଲାରୀ ଦୋକାନକୁ ୪ଜଣ ମହିଳା ଅଳଙ୍କାର କିଣିବା ନିମନ୍ତେ ଆସିଥିଲେ ।  ସେହି ସମୟରେ ଦୋକାନ ଭିଡ଼ ରହିଥିଲା, ଏହାର ସୁଯୋଗ ନେଇ ମହିଳାମାନେ ରୁପା ପାଉଁଜି ଦେଖାଇବା ପାଇଁ ମାଲିକଙ୍କୁ କହିଥିଲେ ।  ଦୀର୍ଘ ଦେଢ଼ ଘଣ୍ଟା ଧରି ମହିଳାମାନେ ଦୋକାନରେ ବିଭିନ୍ନ ଅଳଙ୍କାର ଘାଣ୍ଟି ସମୟ ବିତାଇଥିଲେ ।  ଇତିମଧ୍ୟରେ କିଛି ହଳ ରୁପା ପାଉଁଜି ସେମାନେ ଲୁଟି ନେବାରେ ସଫଳ ହୋଇଥିଲେ ।  ସେମାନେ ଯିବା ପରେ ମାଲିକ ପାଉଁଜି ବାକ୍ସକୁ ତଦାରଖ କରିବାରେ ଚୋରି ଯାଇଥିବା ଜାଣିବାକୁ ପାଇଥିଲେ । ପରେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରିବାରେ ଲୁଟ୍‌ ହୋଇଥିବା ସ୍ପଷ୍ଟ ଭାବେ ଜାଣିପାରିଥିଲେ ।  ଏପରିସ୍ଥଳେ ରବିବାର ମଧ୍ୟାହ୍ନରେ ସେମାନଙ୍କ ମଧ୍ୟରୁ ଦୁଇ ମହିଳା ପୁନର୍ବାର ଅଳଙ୍କାର କିଣିବା ପାଇଁ ଉକ୍ତ ଦୋକାନକୁ ଆସିଥିଲେ ।  ମାଲିକ ସେମାନଙ୍କୁ ଚିହ୍ନିପାରି ସଙ୍ଗେ ସଙ୍ଗେ ବାଲୁଗାଁ  ପୋଲିସକୁ ଖବର ଦେଇଥିଲେ ।  ପୋଲିସ ପହଞ୍ଚତ୍ ସିସିଟିଭି ଫୁଟେଜ୍‌ ତଦନ୍ତ କରିବା ପରେ ସମ୍ପୃକ୍ତ ମହିଳା ଦ୍ୱୟଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲେ ।  ସେମାନଙ୍କଠାରୁ ପୋଲିସ ୩ହଳ ଚୋରି ପାଉଁଜି ଜବତ କରିବାରେ ସକ୍ଷମ ହୋଇଥିଲା ।  ତେବେ ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ମହିଳା ଫେରାର ଥିବା ବେଳେ ସେମାନଙ୍କୁ ଖୋଜି ପାଇବାରେ ପୋଲିସ୍‌ ବିଫଳ ହୋଇଛି ।  ତେବେ ଫେରାର ଅଭିଯୁକ୍ତଙ୍କୁ ଚିହ୍ନଟ ନିମନ୍ତେ ପୋଲିସକୁ ସହଯୋଗ କରିବା ପାଇଁ ଧାରା ୪୧ ଅନୁଯାୟୀ ଗିରଫ ମହିଳା ଦ୍ୱୟଙ୍କୁ ପୋଲିସ୍‌ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଦେଇଥିବା ଜଣାଯାଇଛି ।  ତଦନ୍ତରେ ଅସହଯୋଗ କଲେ ଅଭିଯୁକ୍ତ ମହିଳା ଦ୍ୱୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ରମାକାନ୍ତ ମହାଳିକ କହିଛନ୍ତି ।  ଦୋକାନ ମାଲିକ ଶିବ ପ୍ରସାଦ ପାତ୍ରଙ୍କ ଅଭିଯୋଗକ୍ରମେ ବାଲୁଗାଁ  ପୋଲିସ୍‌ ୧୩୧/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଅବ୍ୟାହତ ରଖିଛି ।