Categories: ଜାତୀୟ

ଅଳକା ଲାମ୍ବା ହୋଇପାରନ୍ତି ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ପରେ ଏବେ କଂଗ୍ରେସ ରାଜ୍ୟସ୍ତରର ସଂଗଠନରେ କିଛି ପରିବର୍ତ୍ତନ କରିବାକୁ ଚିନ୍ତା କରିଥିବା ସୂଚନା ମିଳିଛି। ଏହି କ୍ରମରେ କଂଗ୍ରେସ ଟିକେଟରୁ ଚଳିତ ଥର ଚାନ୍ଦିନ ଚୌକ ନିର୍ବାଚନ ମଣ୍ଡଳିରୁ ଲଢିଥିବା ଅଳକା ଲମ୍ବା ରବିବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିବା ଜଣାପଡିଛି। ତେବେ କଂଗ୍ରେସର ପରାଜୟକୁ ନେଇ ଭିନ୍ନ ଭିନ୍ନ ପ୍ରକାର କଥା ଶୁଣିବାକୁ ମିଳୁଛି। ବିଶେଷ ସୂତ୍ରରୁ ମିଳିଥିବା ଅନୁଯାୟୀ, ଗତକାଲି ହୋଇଥିବା ବୈଠକରେ କିଛି ପରିବର୍ତ୍ତନ ପାଇଁ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି। କଂଗ୍ରେସ ଏବେ ଏକ ପ୍ରକାର ବିନା ମୁଖିଆରେ ଚାଲୁଛି କହିଲେ ଚଳେ। ଏମିତିକି ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଦିଲ୍ଲୀର ଅଧ୍ୟକ୍ଷ ପଦରେ ଥିବା ସୁଭାଷ ଚୋପ୍ରା ଇସ୍ତଫା ଦେଇ ସାରିଛନ୍ତି। ସେହିପରି ପିସି ଚାକୋଙ୍କ ଇସ୍ତଫା ମଧ୍ୟ ଗ୍ରହଣ କରାଯାଇଛି। ଏବେ ଆଲୋଚନା ହେଉଛି କି ୨୦୨୨ରେ ହେବାକୁ ଥିବା ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନକୁ ଆଖି ଆଗରେ ରଖି ଏଥର ଦଳ ହୁଏତ ଜଣେ ଯୁବ ନେତାଙ୍କୁ ଦିଲ୍ଲୀର ଦାୟିତ୍ୱ ଦେଇପାରେ।

Share