ଅଲ୍‌ କାଏଦାର ଦକ୍ଷିଣ ଏସିଆ ମୁଖ୍ୟ ନିହତ

ଇସ୍‌ଲାମାବାଦ, ୧୦ା୧୦ : ଅଲ୍‌ କାଏଦାର ଦକ୍ଷିଣ ଏସିଆ ମୁଖ୍ୟ ଆସିମ୍‌ ଉମର ଆଫଗାନିସ୍ତାନର ହେଲ୍‌ମଣ୍ଡରେ ନିହତ ହୋଇଛନ୍ତି। ଭାରତଜନ୍ମିତ ଉମର ଆମେରିକା-ଆଫଗାନିସ୍ତାନର ମିଳିତ ଚଢ଼ାଉ ବେଳେ ପ୍ରାଣ ହରାଇଥିବା କୁହାଯାଉଛି। ଆଫଗାନିସ୍ତାନର ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଉମର ସହ ପାକିସ୍ତାନର ୬ ଅଲ୍‌ କାଏଦା ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ତାଲିବାନ୍‌ର ଗଡ଼ କୁହାଯାଉଥିବା ମୁସା କାଲାରେ ସେମାନେ କାର୍ଯ୍ୟକଳାପ ଜାରି ରଖିଥିଲେ। ପୂର୍ବରୁ ଆମେରିକା ପକ୍ଷରୁ ଉମରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ଅଭିହିତ କରାଯାଇଥିଲା। ପାକିସ୍ତାନର ହରକତ ଉଲ୍‌- ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗୋଷ୍ଠୀର ସେ ସଦସ୍ୟ ରହିଥିଲେ। ଉତ୍ତରପ୍ରଦେଶର ସାମ୍ଭଲରେ ସାନା-ଉଲ୍‌ ହକ୍‌ ଭାବେ ଜନ୍ମଗ୍ରହଣ କରିଥିବା ଉମର ଦେଓବନ୍ଦ୍‌ର ଦାରୁଲ୍‌ ଉଲମ୍‌ ସେମିନାରିରେ ସ୍ନାତକ ପାସ୍‌ କରି ପାକିସ୍ତାନ ଚାଲିଯାଇଥିଲେ। ୨୦୧୪ କରାଚୀ ନୌସେନା ଡକ୍‌ୟାର୍ଡ ଆକ୍ରମଣ ମାମଲାରେ ଉମର ଗୋଷ୍ଠୀର ସମ୍ପୃକ୍ତ ଥିଲା। ଏଥିସହ ଆମେରିକୀୟ, ବାଂଲା ନାଗରିକ ହତ୍ୟାକାଣ୍ଡ ମାମଲାରେ ସେ ସମ୍ପୃକ୍ତ ରହିଥିଲେ। ଭାରତୀୟ ଉପମହାଦେଶରେ ତାଙ୍କ ନିର୍ଦ୍ଦେଶରେ ଆନେକ ଆତଙ୍କବାଦୀ ଆକ୍ରମଣ ଅଲ୍‌-କାଏଦା ପକ୍ଷରୁ କରାଯାଇଥିଲା।

Share