Categories: ଖେଳ

ଅଲିମ୍ପିକ ହକିରେ ଖେଳି ନ ପାରେ ପାକିସ୍ତାନ

କରାଚୀ, ୧୭|୫ (ପି.ଟି.)- ଆସନ୍ତା ବର୍ଷ ଅଲିମ୍ପିକ ଗେମ୍ସରେ ପାକିସ୍ତାନ ହକି ଦଳର ଅଂଶଗ୍ରହଣ ନେଇ ଅନିଶ୍ଚିତ ଦେଖାଦେଇଛି। କାରଣ, ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଆସନ୍ତା ମାସରେ ହେବାକୁଥିବା ପ୍ରି-କ୍ୱାଲିଫାଇଙ୍ଗ ଟୁର୍ନାମେଣ୍ଟରେ ଏହି ଦଳକୁ ସାମିଲ କରିନାହିଁ। ଏହା ପାକିସ୍ତାନକୁ ଶକ୍ତ ଧକ୍କା ବୋଲି ପାକିସ୍ତାନ ହକି ମହାସଂଘ (ପିଏଚ୍‌ଏଫ୍‌) ସାଧାରଣ ସମ୍ପାଦକ ଆସିଫ ବାଜଓ୍ବା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଫେବୃୟାରୀ-ଏପ୍ରିଲରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ-ହକି ଲିଗ୍‌ ପାଇଁ ପାକିସ୍ତାନ ଏହାର ଦଳ ନ ପଠାଇବାରୁ ଏଫ୍‌ଆଇଏଚ୍‌ ଏହି ନିଷ୍ପତ୍ତି ନେଇଛି। ବାଜଓ୍ବା କହିଛନ୍ତି, ଏଫ୍‌ଆଇଏଚ୍‌କୁ ସେ ଚିଠି ଲେଖିବେ। ନିଷ୍ପତ୍ତିର ପୁନର୍ବିଚାର ସହ ପାକିସ୍ତାନକୁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ଖେଳିବା ସୁଯୋଗ ପାଇଁ ଅନୁରୋଧ କରିବେ। ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ପ୍ରୋ-ହକି ଲିଗ୍‌ ଲାଗି ଦଳ ପଠାଇ ନ ଥିବାରୁ ଏଫ୍‌ଆଇଏଚ୍‌ ଇତିମଧ୍ୟରେ ପିଏଚ୍‌ଏଫ୍‌କୁ ୧୭୦,୦୦୦ ୟୁରୋ ଜରିମାନା କରିସାରିଛି। ପାଣ୍ଠିର ଅଭାବ ଯୋଗୁ ପିଏଚ୍‌ଏଫ୍‌ ଅଲିମ୍ପିକ୍ସ କ୍ୱାଲିଫାଇଙ୍ଗ ପ୍ରକ୍ରିୟା ଲାଗି ଏହାର ଦଳ ପଠାଇ ପାରି ନ ଥିଲା।

Share