Categories: ଖେଳ

ଅଲିମ୍ପିକ ମଶାଲ ଆଗମନ ଉତ୍ସବ ଛୋଟ ଆକାରରେ ହେବ

ଟୋକିଓ ୬ା୩ (ଏପି)- କରୋନା ଭାଇରସ୍‌ର ବ୍ୟାପକତା ଦୃଷ୍ଟିରୁ ଅଲିମ୍ପିକ ମଶାଲ ଆଗମନ ଉତ୍ସବକୁ ଛୋଟ ଆକାରରେ କରାଯିବ ବୋଲି ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ସୂଚନା ଦେଇଛନ୍ତି। କାର୍ଯ୍ୟସୂଚୀ ଅନୁସାରେ ଅଲିମ୍ପିକ ମଶାଲ ମାର୍ଚ୍ଚ ୨୦ରେ ଜାପାନରେ ପହଞ୍ଚତ୍ବ। ମାର୍ଚ୍ଚ ୧୨ରେ ଗ୍ରୀସ୍‌ରେ ଏକ ସ୍ବତନ୍ତ୍ର ଉତ୍ସବରେ ଅଲିମ୍ପିକ ମଶାଲରେ ଅଗ୍ନି ସଂଯୋଗ ହେବ। ୨୦ ତାରିଖରେ ଏହା ବିମାନ ଯୋଗେ ଜାପାନ ଉତ୍ତରାଞ୍ଚଳ ଅନ୍ତର୍ଗତ ମିୟାଗିସ୍ଥିତ ବିମାନ ଘାଟିରେ ଅବତରଣ କରିବ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଗ୍ରୀସ୍‌କୁ ୧୪୦ ଛୋଟ ଛୋଟ ପିଲାଙ୍କୁ ପଠାଯାଇଥାନ୍ତା। ମାତ୍ର କରୋନା ଭାଇରସ କାରଣରୁ ସେମାନଙ୍କୁ ଆଉ ପଠାଯିବ ନାହିଁ। ଜାପାନରେ ୪ ମାସ ଧରି ଅଲିମ୍ପିକ ମଶାଲ ରିଲେ ଅନୁଷ୍ଠିତ ହେବ। ଏହା ଫୁକୁହାମାଠାରୁ ଆରମ୍ଭ ହୋଇ ଜୁଲାଇ ୨୪ରେ ଟୋକିଓରେ ୧.୪୩ ବିଲିୟନ ଡଲାର ବିନିମୟରେ ନିର୍ମିତ ନ୍ୟାଶନାଲ ଷ୍ଟାଡିୟମରେ ପହଞ୍ଚତ୍ବ। ରିଲେରେ ଅନ୍ୟ କୌଣସି ପରିବର୍ତ୍ତନ ହୋଇଛି କି ନା ସେ ସମ୍ପର୍କରେ ମୋରି କିଛି କହି ନାହାନ୍ତି। କିନ୍ତୁ କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୪ରେ ଅଲିମ୍ପିକ୍ସର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ ବୋଲି ସେ ଦୃଢତାର ସହିତ କହିଛନ୍ତି। ଅଗଷ୍ଟ ୨୫ରୁ ପାରା ଅଲିମ୍ପିକ୍ସ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଭାଇରସ ଯଦି ବ୍ୟାପିଯାଏ ତେବେ ଅଲିମ୍ପିକ୍ସକୁ ସ୍ଥଗିତ କିମ୍ବା ସମ୍ପୂର୍ଣ୍ଣ ବାତିଲ କରାଯାଇ ପାରେ ବୋଲି ଭାଇରୋଲୋଜିଷ୍ଟମାନେ ମତବ୍ୟକ୍ତ କରିଛନ୍ତି। କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ଇତିମଧ୍ୟରେ ଜାପାନରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭାଇରସରେ ଚାଇନାରେ ୩,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ପ୍ରାଣହାନି ଘଟିଛି, ଯାହାକି ସମଗ୍ର ବିଶ୍ୱରେ ଯେତେ ଲୋକ ଜୀବନ ହରାଇଛନ୍ତି ୮୦ ପ୍ରତିଶତରୁ ଅଧିକ। ଇଟାଲୀ, ଇରାନ ଓ ଦକ୍ଷିଣ କୋରିଆରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

Share