ଅଲିମ୍ପିକ୍‌ ଷ୍ଟାଫ୍‌ ମେମ୍ବର କରୋନା ଭାଇରସ ପଜିଟିଭ

ଟୋକିଓ,୨୨।୪ (ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ଜଣେ ଷ୍ଟାଫ୍‌ ସଦସ୍ୟ କରୋନା ଭାଇରସ ପଜିଟିଭ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ଟୋକିଓ ଆୟୋଜକଙ୍କ ତରଫରୁ ବୁଧବାର ଏକ ବିବୃତିରେ କୁହାଯାଇଛି। ପାଖାପାଖି ୩୦ ବର୍ଷ ବୟସ୍କ ଜଣେ ପୁରୁଷ ସଦସ୍ୟ ରାଜଧାନୀ ଟୋକିଓର ହାରୁମିଠାରେ ମୁଖ୍ୟ କାର୍ଯ୍ୟାଳୟ ବିଲ୍ଡିଂରେ କାର୍ଯ୍ୟ କରୁଥିଲେ। ଏବେ ତାଙ୍କୁ ଘରେ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି ଓ ତାଙ୍କ ବିଷୟରେ ଅଧିକ କିଛି କୁହାଯାଇନାହିଁ।
ଉଲ୍ଲେଖଥାଉ କି, କୋଭିଡ୍‌-୧୯ ମହାମାରୀ କାରଣରୁ ଟୋକିଓରେ ଆୟୋଜନ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ଆୟୋଜକ କମିଟିରେ ୩,୫୦୦ ଲୋକ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ଗତ କେତେ ସପ୍ତାହ ହେବ ଘରେ ରହି କାର୍ଯ୍ୟ କରୁଛନ୍ତି। ସମ୍ପୃକ୍ତ ସଂକ୍ରମିତ ସଦସ୍ୟ ଜଣକ ଯେଉଁଠାରେ କାର୍ଯ୍ୟ କରୁଥିଲେ ସେ ସ୍ଥାନକୁ ଡିସ୍‌ଇନ୍‌ଫେକ୍‌ଟେଡ କରାଯିବ। ଏବେ ଅଲିମ୍ପିକ୍ସ ୨୦୨୧ ଜୁଲାଇ ୨୩ ତାରିଖରୁ ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି।

Share