Categories: ଖେଳ

ଅଲିମ୍ପିକ୍ସ ସ୍ଥଗିତ ପାଇଁ ଗ୍ଲୋବାଲ ଆଥ୍‌ଲେଟ ଗ୍ରୁପ୍‌ର ଆହ୍ବାନ

ଟୋକିଓ, ୨୨ା୩ (ଏପି)- ମହାମାରୀ କରୋନା ଭାଇରସ୍‌ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନ ଆସିଛି, ସେ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ଲାଗି ଗ୍ଲୋବାଲ୍‌ ଆଥ୍‌ଲେଟ୍ସ ଗ୍ରୁପ୍‌ ଆହ୍ବାନ କରିଛି। କୋଭିଡ୍‌-୧୯ର ପ୍ରସାରକୁ ରୋକିବା ଲାଗି ସମଗ୍ର ବିଶ୍ୱ ଏବେ ଏକ ହୋଇଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ମଧ୍ୟ ତାହା ଅନୁସରଣ କରିବା ଉଚିତ ବୋଲି ରବିବାର ଗ୍ଲୋବାଲ ଆଥଲେଟ୍‌ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି। ଇତିମଧ୍ୟରେ ବହୁ ଜଣାଶୁଣା ଆଥଲେଟ୍‌ ଅଲିମ୍ପିକ୍ସ ଆୟୋଜନ ନେଇ ଆଇଓସିର ବର୍ତ୍ତମାନ ଆଭିମୁଖ୍ୟକୁ ଖୋଲାଖୋଲି ନାପସନ୍ଦ କରିଛନ୍ତି। ଟୋକିଓ ଗେମ୍ସ ଜୁଲାଇ ୧୪ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଆଇଓସି ବାରମ୍ବାର ସଫେଇ ଦେଇ ଆସୁଛି ଯେ, ଏତେ ଆଗରୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ହେବ ନାହିଁ। ଆଇଓସି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସହ ଯୋଗାଯୋଗରେ ରହିଛି। ସେଭଳି ପରିସ୍ଥିତି ଆସିଲେ ଯାହା ନିଷ୍ପତ୍ତି ନିଆଯାଇ ପାରେ। ଆୟର୍ଲାଣ୍ଡରେ ଅବସ୍ଥିତ ଗ୍ଲୋବାଲ ଆଥଲେଟିକ୍‌ର ପ୍ରତିଷ୍ଠାତା କାରାଧ୍‌ ଓ’ଡୋନୋଭାନ୍‌ କହିଛନ୍ତି, ଆଇଓସି ବର୍ତ୍ତମାନର ପରିସ୍ଥିତିକୁ ଗମ୍ଭୀରତାର ସହ ବିଚାର କରୁ ନାହିଁ। ଓ’ଡୋନୋଭାନଙ୍କର ଏକ କରାଟେ ଟ୍ରେନିଂ ସେଣ୍ଟର ରହିଛି। କରୋନା ଭାଇରସ୍‌ ଭୟ ଯୋଗୁ ତାଙ୍କ ଦେଶରେ କଟକଣା ଜାରି ହୋଇଛି। ଫଳତଃ ତାଙ୍କ କରାଟେ ଟ୍ରେନିଂ ସେଣ୍ଟରକୁ କିଛିଦିନ ବନ୍ଦ କରିଦିଆଯାଇଛି।

Share