ଅର୍ବାନ ବ୍ୟାଙ୍କ ଓ ଚିଟ୍‌ଫଣ୍ଡ ଜମାକାରୀ ହତାଶ : ଦାବି ପୂରଣ ନ ହେଲେ ୨୩ରେ ଆନ୍ଦୋଳନ

ବାରିପଦା ଅଫିସ,୬ା୧୨- ମୟୂରଭଞ୍ଜ ଜିଲା ବାରିପଦାଠାରେ ଥିବା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଦୀର୍ଘ ବର୍ଷ ହେବ ପରିଚାଳନାଗତ ତ୍ରୁଟି ଯୋଗୁ ବନ୍ଦ ହୋଇ ପଡ଼ିଛି। ଏହି ବ୍ୟାଙ୍କରେ ଜିଲାର କ୍ଷୁଦ୍ର ବ୍ୟବସାୟୀ, ଦିନ ମଜୁରିଆ ଓ ମଧ୍ୟବିତ୍ତ ଶ୍ରେଣୀୟ ଲୋକେ ନିଜ କଷ୍ଟ ଉପାର୍ଜିତ ଟଙ୍କା ଜମା ରଖୁଥିଲେ। ବ୍ୟାଙ୍କ ବନ୍ଦ ଥିବାରୁ ସେମାନେ ଟଙ୍କା ଫେରି ପାଉନାହାନ୍ତି। ଅନ୍ୟପକ୍ଷେ ବ୍ୟାଙ୍କ ପରିଚାଳନା ଦାୟିତ୍ୱରେ କେତେକ କର୍ମଚାରୀ ଜମାକାରୀଙ୍କ ଟଙ୍କାରେ ଭ୍ରମଣ କରିବା ସହିତ ବିଭିନ୍ନ ଅନିୟମିତତାରେ ଲିପ୍ତ ଅଛନ୍ତି। ଏଭଳି ଅଭିଯୋଗ କରିଛି ବଜରଙ୍ଗ ସେନା। ଏହା ବ୍ୟତୀତ ଜିଲାରେ ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥା ଟଙ୍କାକୁ ଦୁଇ ଗୁଣା କରିବା ଲୋଭ ଦେଖାଇ ଏଠାରେ କାର୍ଯ୍ୟାଳୟମାନ ଖୋଲିଥିଲେ ଏବଂ ରାତାରାତି ଲୋକଙ୍କ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏହି ଅର୍ବାନ ବ୍ୟାଙ୍କ ଓ ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ତୁରନ୍ତ ଫେରାଇବା ବ୍ୟବସ୍ଥା କରିବା ପାଇଁ ସେନା ଦାବି କରିଛି। ଗୁରୁବାର ସେନାର ଉପଦେଷ୍ଟା କୁମାର ମଙ୍ଗଳମଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ସୁଧା ଦେବ ସିଂଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପଠାଇଛନ୍ତି। ୧୫ ଦିନ ମଧ୍ୟରେ ରାଜ୍ୟ ସରକାର ଦାବି ପୂରଣ ପାଇଁ ପଦକ୍ଷେପ ନ ନେଲେ ସେନା ପକ୍ଷରୁ ଆସନ୍ତା ୨୩ ତାରିଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ପ୍ରତିନିଧି ଦଳରେ ଉପଦେଷ୍ଟା ଦିଲୀପ ଦାସ, ସେଖ ନାସିରୁଦ୍ଦିନ, ଜିଲା ସଭାପତି କାର୍ତ୍ତିକ ମହାନ୍ତ, ନୟନ କୁମାର ଦାସ, ବିଶ୍ୱଜିତ ଚାନ୍ଦ, ସନ୍ଦୀପ କୁମାର ମହାନ୍ତ, ସାଗର ପାତ୍ର, ରାଜେନ୍ଦ୍ର ବେହେରା, ସୁବ୍ରତ କୁମାର ମୁଖୀ, ଅଭିମନ୍ୟୁ ପରିଡା ପ୍ରମୁଖଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।