ଅର୍ଦ୍ଧଗଣେଶ୍ୱର ମୂର୍ତ୍ତି ଆକର୍ଷଣ

ବନ୍ତ, ୩।୯ (ସ୍ବ.ପ୍ର./ଡି.ଏନ.ଏ.)- ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଆଗରପଡ଼ା ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ଓ ଯୁବକ ସଂଘରେ ପୂଜାର୍ଚ୍ଚନା କରାଯାଇଥିଲା। ସକାଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ନୂତନ ବସ୍ତ୍ର ପରିଧାନ କରି ହାତରେ ପୂଜା ସାମଗ୍ରୀ ଧରି ପୂଜା ମଣ୍ଡପରେ ପହଞ୍ଚି ପୁଷ୍ପାଞ୍ଜଳି ଦେଇଥିଲେ। ଆଗରପଡ଼ା ରଥଦାଣ୍ଡଠାରେ ୱେଟ ଚ୍ୟାଲେଞ୍ଜ କ୍ଲବ ପକ୍ଷରୁ ଧୁମ୍‌ଧାମ୍‌ରେ ପୂଜା କରାଯାଇଛି। ମଧ୍ୟାହ୍ନରେ ନିକଟସ୍ଥ ସାଳନ୍ଦୀ ନଦୀରୁ ଘଟୋତ୍ତଳନ କରାଯାଇ ସ୍ଥାପନ ପରେ ରୀତିନୀତି ଅନୁସାରେ ପୂଜା ଆରମ୍ଭ ହୋଇଥିଲା। ଶିଳ୍ପୀ କଳା ଶିକ୍ଷକ ପଦ୍ମନାଭ ସେଠୀଙ୍କ ଦ୍ୱାରା ନିର୍ମିତ ନିଆରା ଅର୍ଦ୍ଧଗଣେଶ୍ୱର ମୂର୍ତ୍ତି ଆକର୍ଷଣ ସାଜିଥିଲା। ଅଧା ଶିବ ଓ ଅଧା ପାର୍ବତୀଙ୍କୁ ନେଇ ନିର୍ମିତ ଏହି ଗଣେଶଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମିଥିଲା। ମୂର୍ତ୍ତି ତଳେ ଥିବା ବାହନରେ ଅଧା ଷଣ୍ଢ ଓ ଅଧା ସିଂହ ସମସ୍ତଙ୍କୁ ଆକୃଷ୍ଟ କରିଛି। ଗହ୍ମା ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଏହି ମୂର୍ତ୍ତି ତିଆରିରେ ଛାତ୍ରୀ ବର୍ଷା ପାଢ଼ୀ ଓ ଶିଳ୍ପୀ ରବୀନ୍ଦ୍ର ଖିଲାର ସହାୟତା କରିଥିଲେ। ସେହିପରି କ୍ରାକ କମ୍ପ୍ୟୁଟର, ଆଗରପଡା କୃଷ୍ଣଚରଣ ବିଦ୍ୟାମନ୍ଦିର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆଡିଆସ୍ଥିତ ଆରଡେଶ୍ୱର ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ବ୍ରିଗେଡ ସୈନିକ ସ୍କୁଲ, କଳାପାହାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଜଗତଜ୍ୟୋତି ଯୁବକସଂଘ ଆଦି ବିଭିନ୍ନ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଛି।