ଅର୍ଥ ଅଭାବରୁ ଭଉଣୀଙ୍କ ପାଇଁ ଘରେ ସୁନ୍ଦର ଗାଉନ୍‌ ତିଆରି କଲେ ଭାଇ

ମନିଲା,୨୦।୨: ଭଉଣୀ-ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ନିଆରା ବୋଲି କୁହାଯାଏ। ସବୁ ଭାଇ ଭାବନ୍ତି ତାଙ୍କ ଭଉଣୀ ସବୁଠାରୁ ଭଲ। ଆଉ ଭଉଣୀଙ୍କ କଷ୍ଟ କୌଣସି ଭାଇ ସହଜରେ ହଜମ କରି ପାରନ୍ତି ନାହିଁ ବୋଲି ମଧ୍ୟ କୁହାଯାଏ। ଏବେ ଏମିତି ଏକ ଖବର ଫିଲିପାଇନ୍ସରୁ ଆସିଛି। ଏଠାରେ ଜଣେ ଭଉଣୀଙ୍କୁ ଖୁସି କରିବାକୁ ତାଙ୍କ ଭାଇ ଏକ ପ୍ରକାର ଫ୍ୟାଶନ ଡିଜାଇନର ପାଲଟି ଯାଇଛନ୍ତି କହିଲେ ଚଳେ। ଫିଲିପାଇନ୍ସରେ କଲଚର ଓ ଆର୍ଟସ୍‌ ପଢୁଥିବା ଛାତ୍ର ମାଭେରିକ ଫ୍ରାନସିସ୍‌କୋ ଓୟେଙ୍କ ଭଉଣୀ ଲୁ ଅସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଗୋଟିଏ ନୂଆ ପୋଷାକ କିଣିବାକୁ କହିଥିଲେ। ହେଲେ ତାଙ୍କ ପୋଷାକ କିଣିବାକୁ ଅର୍ଥାଭାବ ଥିବାରୁ ଭାଇ ମାଭେରିକ ତାଙ୍କ ମାଆଙ୍କ ସହାୟତାରେ ଘରେ ଏକ ସୁନ୍ଦର ଗାଉନ୍‌ ପ୍ରସ୍ତୁତ କରିଥିଲେ। ବ୍ଲୁ ଓ ହ୍ବାଇଟ୍‌ କଲରର ଏହି ଗାଉନ୍‌ ଦେଖିବା ପରେ ସମସ୍ତେ କହିଥିଲେ ଏହା କୌଣସି ଫ୍ୟାଶନ ଡିଜାଇନର ତିଆରି କରିଛନ୍ତି। ପ୍ରକୃତରେ ଭଉଣୀଙ୍କୁ ଖୁସି କରିବାକୁ ଭାଇ ମାଭେରିକ ଯେ ଏକ ପ୍ରକାର ଫ୍ୟାଶନ ଡିଜାଇନର ପାଲଟିଗଲେ ତାହା ଆଲୋଚନା ହେଉଛି।

Share