ଅର୍ଥୋସ୍କୋପିକ୍‌ ସର୍ଜରି

”ଅର୍ଥୋସ୍କୋପିକ୍‌ ସର୍ଜରି ଏକ ଆଧୁନିକ ଅସ୍ଥିଶଲ୍ୟ ଚିକିତ୍ସା ପଦ୍ଧତି । ଏଥିରେ ବଡ଼ ଧରଣର କଟାକଟି ନ କରି ଛୋଟ କଣା ମାଧ୍ୟମରେ ଶରୀରର ବିଭିନ୍ନ ଖଞ୍ଜା ମଧ୍ୟରେ ଅର୍ଥୋସ୍କୋପ୍‌ ପୂରାଯାଇ ବହୁ ରୋଗର ନିଦାନ ଏବଂ ଚିକିତ୍ସା କରାଯାଇଥାଏ।“

ଅର୍ଥୋସ୍କୋପିକ୍‌ କ’ଣ
ଅର୍ଥୋସ୍କୋପିକ୍‌ ସର୍ଜରି ଏକ ଆଧୁନିକ ଅସ୍ଥିଶଲ୍ୟ ଚିକିତ୍ସା ପଦ୍ଧତି। ଏଥିରେ ବଡ଼ ଧରଣର କଟାକଟି ନ କରି ଛୋଟ କଣା ମାଧ୍ୟମରେ ଶରୀରର ବିଭିନ୍ନ ଖଞ୍ଜା ମଧ୍ୟରେ ଅର୍ଥୋସ୍କୋପି ପୂରାଯାଇ ବହୁ ରୋଗର ନିଦାନ ଏବଂ ଚିକିତ୍ସା କରାଯାଇଥାଏ।
ଓପନ୍‌ ସର୍ଜରିଠୁ କାହିଁକି ଭିନ୍ନ
ଓପନ୍‌ ସର୍ଜରିରେ ଅଧିକ ଚିରାଫଡ଼ା କରାଯାଉଥିବାରୁ କ୍ଷତ ଶୁଖିବା ପାଇଁ ଅଧିକ ସମୟ ଲାଗେ ଏବଂ ଅପରେଶନ ପରେ ଷ୍ଟିଫ୍‌ନେସ ରହିବାର ଅସୁବିଧା ଥାଏ। ଏହାଛଡ଼ା ଅପରେଶନ ସମୟରେ ଅଧିକ ରକ୍ତସ୍ରାବ ହୋଇଥାଏ ଓ ପରେ ବଡ଼ ଦାଗ ରହିଥାଏ।
କେଉଁ କେଉଁ ଖଞ୍ଜାରେ କରାଯାଏ
ଆଣ୍ଠୁ ପାଇଁ ସବୁଠାରୁ ଅଧିକ ଉପଯୋଗୀ। ଏହାଛଡ଼ା କାନ୍ଧ, କହୁଣି, କଚଟି, ଗୋଇଠି, ପାଦରେ ମଧ୍ୟ ଅର୍ଥୋସ୍କୋପିକ୍‌ ମାଧ୍ୟମରେ ଅପରେଶନ କରାଯାଉଛି।
କେଉଁ ରୋଗରେ କରାଯାଇପାରେ
ଆଣ୍ଠୁର ଲିଗାମେଣ୍ଟ ଇଞ୍ଜୁରି, ଅଷ୍ଟିଓଆର୍ଥରାଇଟିସ୍‌ କାର୍ଟିଲେଜ୍‌ ରିପେୟାର ବା ବୟସ ଜନିତ ଆଣ୍ଠୁରୋଗ, ମେନିସ୍‌କସ୍‌ ଟିୟର ଇତ୍ୟାଦି ବିଭିନ୍ନ ରୋଗର ଚିକିତ୍ସା ଏବଂ ନିଦାନ ଅର୍ଥୋସ୍କୋପିକ୍‌ ମାଧ୍ୟମରେ କରାଯାଇପାରେ। କାନ୍ଧରେ ଆର୍ଥରାଇଟିସ୍‌, ରୋଟାଟର କଫ୍‌ ଇଞ୍ଜୁରି, ଫ୍ରେଜେନ୍‌ ସୋଲ୍‌ଡର ଏବଂ ଡିସ୍‌ଲୋକେସନ(ଖଞ୍ଜା ଖସିବା) ପରି ରୋଗର ଚିକିତ୍ସା କରାଯାଇପାରେ। ଏଣ୍ଡୋସ୍କୋପିକ୍‌ ସ୍ପାଇନ୍‌ ସର୍ଜରି ମାଧ୍ୟମରେ ବିଭିନ୍ନ ସ୍ପାଇନାଲ ରୋଗର ଚିକିତ୍ସା ମଧ୍ୟ କରାଯାଇପାରୁଛି।
ଆନାସ୍ଥେସିଆ କ’ଣ ଦିଆଯାଏ
ଆଣ୍ଠୁ ଅର୍ଥୋସ୍କୋପିକ୍‌ ସର୍ଜରି ପାଇଁ ସ୍ପାଇନାଲ ଆନାସ୍ଥେସିଆ ଦରକାର। ଲୋକାଲ ଆନାସ୍ଥେସିଆରେ ମଧ୍ୟ ଅପରେଶନ କରାଯାଇପାରେ। କାନ୍ଧ ପାଇଁ ଜେନେରାଲ ଆନାସ୍ଥେସିଆ ଆବଶ୍ୟକ ହୁଏ।
ଭଲ ହେବା ପାଇଁ କେତେ ଦିନ ଲାଗେ
ଆଣ୍ଠୁର ସର୍ଜରି ପରେ ରିକୋଭରି ପାଇଁ ୪ରୁ ୫ ଦିନ ସମୟ ପରେ ଫୁଲା ସମ୍ପୂର୍ଣ୍ଣ କମିଯାଏ। ୫ଦିନରୁ ଆଣ୍ଠୁ ଭାଙ୍ଗିବା ପାଇଁ କିଛିଦିନ ବାଡ଼ି ଧରି ଚାଲିବା ପରେ ରୋଗୀ ସାଧାରଣ ଅବସ୍ଥାକୁ ଫେରିଆସେ।
ରିସ୍କ ବା ବିପଦ କ’ଣ ଥାଏ
ଅପରେଶନ ସମୟରେ ରକ୍ତସ୍ରାବ, ଇନ୍‌ଫେକ୍‌ସନ ଇତ୍ୟାଦିର ବିପଦ ନ ଥାଏ ଓ ଓପନ୍‌ ସର୍ଜରିଠାରୁ ଏଥିରୁ ବିପଦ ଯଥେଷ୍ଟ କମ୍‌।
କେଉଁଠାରେ କରିବା ଉଚିତ
ଅର୍ଥୋସ୍କୋପିକ୍‌ ସର୍ଜରିରେ ତାଲିମପ୍ରାପ୍ତ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ପାଖରେ ଉଚିତ ପରାମର୍ଶ ପରେ ଏହି ସର୍ଜରି କରିବା ଉଚିତ। ସର୍ଜରି ପାଇଁ ୩୦ ମିନିଟ୍‌ ସମୟ ଲାଗେ। ଅପରେଶନର ୩ଦିନ ପରେ ରୋଗୀ ଘରକୁ ଯାଇପାରେ।

ଡା. ଅତନୁ ମହାନ୍ତି
-ଆସୋସିଏଟ୍‌ ପ୍ରଫେସର, ଅସ୍ଥିଶଲ୍ୟ ବିଭାଗ,ଏସ୍‌ସିବି ମେଡିକାଲ କଲେଜ, କଟକ, ମୋ : ୯୪୩୭୦୩୨୨୨୦