Categories: ବାଣିଜ୍ୟ

ଅର୍ଥନୀତିକୁ ନେଇ ଟୁଇଟରରେ ଅର୍ଥମନ୍ତ୍ରୀ-ବାୟୋକନ ମୁଖ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ,୨୦-୯: ଦେଶର ଆର୍ଥିକ ପରିସ୍ଥିତିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ବାୟୋକନ ଲିମିଟେଡ ମୁଖ୍ୟ କିରଣ ମଜୁମଦାର ସ’ ଗୁରୁବାର ଟୁଇଟରରେ ମୁହାଁମୁହିଁ ହୋଇଥିଲେ। ମିଡିଆ ଏହାକୁ ତର୍କ ବୋଲି ଉଲ୍ଲେଖ କରିଥିଲେ ସୁଦ୍ଧା କିରଣ ଏହାକୁ ଆଲୋଚନା ବୋଲି କହିଛନ୍ତି।
ବାସ୍ତବରେ ଇ-ସିଗାରେଟକୁ ନିଷେଧ କରାଯିବା ନେଇ କିରଣଙ୍କ ଏକ ଟୁଇଟ୍‌ରୁ ଏହି ବିବାଦ ଆରମ୍ଭ ହୋଇଥିଲା। ଇ-ସିଗାରେଟ ବ୍ୟାନ୍‌ ସମ୍ପର୍କରେ ଅର୍ଥମନ୍ତ୍ରୀ ସୀତାରାମନ୍‌ ଘୋଷଣା କରିବାକୁ ନେଇ କିରଣ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଇ-ସିଗାରେଟ ବ୍ୟାନ୍‌ କରିବା ଘୋଷଣା ସ୍ବାସ୍ଥ୍ୟମନ୍ତ୍ରୀ କରିବା ଉଚିତ୍‌ ନ ଥିଲା କି ବୋଲି ଗୁରୁବାର ସକାଳେ ତାଙ୍କର ଟୁଇଟ୍‌ରେ ପ୍ରଶ୍ନ କରିଥିଲେ। ଗୁଟ୍‌ଖାକୁ ବ୍ୟାନ୍‌ କରିବା ଭଲ ହେବ ନାହିଁକି ବୋଲି ସେ ଆଉ ଏକ ପ୍ରଶ୍ନ ଦୋହରାଇଥିଲେ। ଅର୍ଥନୀତିକୁ ପୁନର୍ବାର ଠିକ୍‌ ରାସ୍ତାକୁ ଆଣିବା ଲାଗି ଅର୍ଥ ମନ୍ତ୍ରଣାଳୟ ପଦକ୍ଷେପ ଘୋଷଣା କରିବା ଉଚିତ ହେବ ବୋଲି ସେ କହିଛନ୍ତି। ତେବେ ସାଧାରଣତଃ ଟୁଇଟରରେ ଏଭଳି ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖୁଥିତ୍ବା ସୀତାରାମନ୍‌ ବାୟୋକନ ମୁଖ୍ୟଙ୍କ ଟୁଇଟ୍‌ର ଜବାବ ଅତ୍ୟନ୍ତ ଶାଳୀନତାର ସହ ଦେଇଛନ୍ତି। ସେ ନିଜ ପ୍ରତିକ୍ରିୟାରେ କ୍ରମାଗତ ୩ ଟୁଇଟ୍‌ କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ, ବାୟୋକନ ମୁଖ୍ୟ ଜାଣିରଖିବା ଉଚିତ ଯେ, ଇ-ସିଗାରେଟ ମାମଲାର ନିଷ୍ପତ୍ତି ନେଇଥିବା ମନ୍ତ୍ରିଗୋଷ୍ଠୀର ଅଧ୍ୟକ୍ଷ ଭାବେ ସେ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ। ଖବରଦାତା ସମ୍ମିଳନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବ ତାଙ୍କ ସହିତ ଥିଲେ। ସରକାରୀ ଖବରଦାତା ବୈଠକ ଆୟୋଜନ ବେଳେ ପ୍ରୋଟୋକଲ୍‌ ବା ନିୟମ ପାଳନ କରାଯାଇଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବିଦେଶ ଗସ୍ତରେ ରହିଛନ୍ତି। ସେ ତାଙ୍କର ଟୁଇଟ୍‌ରେ ଲେଖିଛନ୍ତି ଯେ, ଜଣେ ଅର୍ଥମନ୍ତ୍ରୀ ଭାବେ ସେ କାମ କରୁଛନ୍ତି। ଅର୍ଥନୀତିର ସ୍ଥିତି ସୁଧାରିବା ଲାଗି ସରକାର କି’ପ୍ରକାର ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ମଧ୍ୟ ନିୟମିତ ଭାବେ ଜଣାଉଛନ୍ତି। ସୂଚନାଥାଉ କି, ଅର୍ଥନୀତକୁ ସୁଧାରିବା ଉଦ୍ଦେଶ୍ୟରେ ସୀତାରାମନ୍‌ ନିକଟରେ ୩ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିସାରିଛନ୍ତି। ଏହାର ଉତ୍ତରରେ କିରଣ ଲେଖିଛନ୍ତି ଯେ, ଅର୍ଥମନ୍ତ୍ରୀ ପରିପକ୍ୱତାର ସହ ଉତ୍ତର ଦେଇଛନ୍ତି ଏବଂ ତାଙ୍କର ଭ୍ରମକୁ ଦୂର କରିଛନ୍ତି। ଏଥିପାଇଁ ତାଙ୍କୁ ଧନ୍ୟବାଦ୍‌।

Share