ଅରୁଣ-ମହେଶଙ୍କ ହ୍ୟାଟ୍ରିକ

ନିର୍ଦ୍ଦେଶକ ମହେଶ ହାଜରା ଏବଂ ନାଟ୍ୟକାର ଅରୁଣ ନାୟକ ହ୍ୟାଟ୍ରିକ ମାରିଛନ୍ତି। ଗୋଟିଏ ଅପେରା ପାର୍ଟିରେ ଲଗାତର ତୃତୀୟ ଥର ପାଇଁ ସେମାନେ ଏକାଠି କାମ କରିବାକୁ ଯାଉଛନ୍ତି। ଅର୍ଥାତ୍‌, ଅନ୍ୟତମ ଅଗ୍ରଣୀ ଅପେରା ପାର୍ଟି ବାଘାଯତିନ ଲୋକନାଟ୍ୟର ଆସନ୍ତା ଯାତ୍ରା ସିଜନ ପାଇଁ ପ୍ରସ୍ତୁତ ହେଉଛି ନୂଆ ନାଟକ, ଯାହାର ଶୀର୍ଷକ ରହିଛି ‘ତୁ କାନ୍ଦିଲେ ମୁଁ କାନ୍ଦିବି’। ନାଟକଟିକୁ ରଚନା କରୁଛନ୍ତି ଅରୁଣ ନାୟକ ଏବଂ ନିର୍ଦ୍ଦେଶନାର ଗୁରୁ ଦାୟିତ୍ୱ ତୁଲାଇବେ ଓଲିଉଡ୍‌ ମେକର ଭାବରେ ପରିଚିତ ମହେଶ। ଏହାପୂର୍ବରୁ ଏହି ପାର୍ଟିର ଗତ ବର୍ଷର ନାଟକ ‘ମୃତ୍ୟୁଦଣ୍ଡ’ ଏବଂ ଚଳିତ ଯାତ୍ରା ସିଜନରେ ପ୍ରଶଂସା ସାଉଁଟି ଚାଲିଥିବା ନାଟକ ‘ସୀତାର ଜଳୁଚି ଚିତା’ ଯଥାକ୍ରମେ ରଚନା ଏବଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇ ଏହି ଯୋଡ଼ି ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି। ତେବେ ନୂଆ ନାଟକରେ କି ସ୍ପେଶାଲ ମସଲା ରହିଛି ତାହା ଏବେ କହିବା ଠିକ୍‌ ହେବନି ଏବଂ ନାଟକଟିକୁ ଦେଖିଲେ ହିଁ ଜାଣିପାରିବେ ବୋଲି କହନ୍ତି ମହେଶ। ତେବେ ଏହି ନାଟକ ଆସନ୍ତା ଯାତ୍ରା ସିଜନରେ ଅପେରାପ୍ରେମୀକୁ କେତେ ମତୁଆଲା କରୁଛି ତାହା ଦେଖିବାକୁ ବାକି ରହିଲା।

Share