Categories: ଜାତୀୟ

ଅଯୋଧ୍ୟା ଶୁଣାଣିର ସିଧାପ୍ରସାରଣ ନେଇ ପିଟିଶନ: ନିଷ୍ପତ୍ତି ନେବେ ସିଜେଆଇଙ୍କ ଖଣ୍ଡପୀଠ

ନୂଆଦିଲ୍ଲୀ,୭ା୯,(ପି.ଟି./ଆଇଏଏନ୍‌ଏସ୍‌): ଅଯୋଧ୍ୟାସ୍ଥିତ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ବିବାଦ ମାମଲା ଦୈନନ୍ଦିନ ଶୁଣାଣିର ସିଧାପ୍ରସାରଣ ଓ ରେକର୍ଡିଂ ହେବ କି ନାହିଁ ତାହା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିଷ୍ପତ୍ତି ନେବେ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ପୂର୍ବତନ ବିଚାରକ କେ.ଏନ୍‌. ଗୋବିନ୍ଦାଚାର୍ଯ୍ୟଙ୍କ ପକ୍ଷରୁ ଦାଏର ପିଟିଶନକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି।
ଅଦାଲତରେ ମାମଲା ଶୁଣାଣିର ଟିଭିରେ ସିଧାପ୍ରସାରଣ ନେଇ ସେଣ୍ଟର ଫର୍‌ ଆକାଉଣ୍ଟେବିଲିଟି ଆଣ୍ଡ ସିଷ୍ଟମିକ୍‌ ଚେଞ୍ଜ (ସିଏଏସ୍‌ସି) ପକ୍ଷରୁ ଏକ ପିଟିଶନ ଦାଏର ହୋଇଥିଲା। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ସିଧାପ୍ରସାରଣ କରାଯାଇ ପାରିବ ବୋଲି ୨୦୧୮ ସେପ୍ଟେମ୍ବର ୨୬ରେ ରାୟ ଦେଇଥିଲେ। ଗୋବିନ୍ଦାଚାର୍ଯ୍ୟ ଉକ୍ତ ରାୟର ଅବତାରଣା କରି ଅଯୋଧ୍ୟା ମାମଲାର ଶୁଣାଣି ବେଳର ସିଧାପ୍ରସାରଣ ଓ ଅଡିଓ ରେକର୍ଡିଂ ପାଇଁ ସର୍ବୋଚ୍ଚ ଅଦାଲତରେ ଏକ ଆବେଦନ କରିଥିଲେ। ଏହା ଜାତୀୟ ସ୍ତରରେ ଗୁରୁତ୍ୱ ବହନ କରୁଥିବା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଆବେଦନକାରୀଙ୍କ ସମେତ କୋଟି କୋଟି ଲୋକ ଏହାର ସିଧାପ୍ରସାରଣ ଦେଖିବା ପାଇଁ ଆଗ୍ରହୀ। ଏକ ଡିଜିଟାଲ ସୁପର ପାଓ୍ବାର ଭାବେ ଭାରତ ଏହି ବ୍ୟବସ୍ଥା କରିବା ଉଚିତ। ଯଦି ସିଧାପ୍ରସାରଣ କିମ୍ବା ଅଡିଓ ରେକର୍ଡିଂ କରାଯାଇ ପାରିବ ନାହିଁ ତେବେ ସୁପ୍ରିମକୋର୍ଟ ଅନ୍ତତଃ ରେକର୍ଡ ପାଇଁ ଶୁଣାଣି ପ୍ରକ୍ରିୟାର ପ୍ରତିଲିପି ପ୍ରସ୍ତୁତ କରିବେ। ଉକ୍ତ ପ୍ରତିଲିପି ପରବର୍ତ୍ତୀ ସମୟରେ ଅନ୍‌ଲାଇନ୍‌ରେ ପ୍ରକାଶ କରାଯାଇ ପାରିବ ବୋଲି ଗୋବିନ୍ଦାଚାର୍ଯ୍ୟଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ ଯୁକ୍ତି ବାଢ଼ିଥିଲେ। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ ଓ ସୂର୍ଯ୍ୟକାନ୍ତ ଉକ୍ତ ପିଟିଶନକୁ ଅଯୋଧ୍ୟା ମାମଲାର ବିଚାର କରୁଥିବା ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠକୁ ପଠାଇଦେଇଛନ୍ତି।

Share