Categories: ଜାତୀୟ

ଅଯୋଧ୍ୟା: ଟ୍ରଷ୍ଟ ଗଠନ ପୂର୍ବରୁ ମନ୍ଦିର ପୂଜାରୀ ନେଇ ଟଣାଓଟରା

ଅଯୋଧ୍ୟା,୩।୧୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରିବାକୁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଏକ ମାସ ବିତି ଯାଇଛି। ଟ୍ରଷ୍ଟ ଗଠନ ପୂର୍ବରୁ ମନ୍ଦିର ପୂଜାରୀ ହେବାକୁ ନେଇ ଟଣାଓଟରା ଆରମ୍ଭ ହୋଇଛି। ରାମଜନ୍ମଭୂମି ନ୍ୟାସ ସଦସ୍ୟ ତ୍ରିଲୋକୀ ନାଥ ପାଣ୍ଡେ ପୂଜାରୀ ହେବା ଲାଗି ଦାବି କରିଛନ୍ତି। ତେବେ ରାମମନ୍ଦିର ମାମଳାରେ ପକ୍ଷ ରହିଥିବା ମହନ୍ତ ଧର୍ମଦାସ ମନ୍ଦିରର ପୂଜାରୀ ହେବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି। ୧୯୪୯ରେ ତାଙ୍କ ଗୁରୁ ଅଭିରାମ ଦାସ ମନ୍ଦିରର ପୂଜାରୀ ଥିଲେ। ତେଣୁ ପରମ୍ପରା ଅନୁସାରେ ସେ ମନ୍ଦିରର ପୂଜାରୀ ହେବେ ବୋଲି ଧର୍ମଦାସ ଦାବି କରିଛନ୍ତି। ସମ୍ପ୍ରତି ରାମଲଲାଙ୍କ ପୂଜା ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କରୁଛନ୍ତି। ସେ ଧର୍ମଦାସଙ୍କ ବଡ଼ ଗୁରୁ ଭାଇ। ସତ୍ୟେନ୍ଦ୍ରଙ୍କୁ କମିଶନରଙ୍କ କର୍ମଚାରୀ ବୋଲି ତ୍ରିଲୋକୀ ପାଣ୍ଡେ କହିଛନ୍ତି। ଟ୍ରଷ୍ଟ ଗଠନ ପରେ ସତ୍ୟେନ୍ଦ୍ର ଆଉ ସେ ପଦବୀରେ ରହି ପାରିବେ ନାହିଁ ବୋଲି ସେ କହିଛନ୍ତି। ସେହିପରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପୂଜାରୀ ଦାୟିତ୍ୱ ରାମାନନ୍ଦ ସମ୍ପ୍ରଦାୟକୁ ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି।

Share