Categories: ଜାତୀୟ

‘ଅଯୋଧ୍ୟାରେ ରାମମନ୍ଦିର ଚାହାନ୍ତି ମୁସଲମାନ’

ଲକ୍ଷ୍ନୌ,୧୩ା୭(ପି.ଟି.): କଠୋରପନ୍ଥୀଙ୍କୁ ବାଦ୍‌ଦେଇ ଅନ୍ୟ ମୁସଲମାନମାନେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଚାହାନ୍ତି ବୋଲି ରାମ ଜନ୍ମଭୂମି ନ୍ୟାସର ସଦସ୍ୟ ରାମବିଳାସ ବେଦାନ୍ତୀ ମତ ଦେଇଛନ୍ତି। ସେ କହିଛନ୍ତି, ଏଥିଲାଗି ମୁସଲମାନ ସମ୍ପ୍ରଦାୟର ପୂରା ସମର୍ଥନ ରହିଛି। କଠୋରପନ୍ଥୀଙ୍କୁ ଛାଡ଼ି ବାକି ୮୦ ଭାଗ ମୁସଲମାନ ରାମଲାଲା ରହିଥିବା ସ୍ଥାନରେ ରାମମନ୍ଦିର ନିର୍ମାଣ ସପକ୍ଷରେ ଅଛନ୍ତି ବୋଲି ମିଡିଆକୁ ବେଦାନ୍ତୀ କହିଛନ୍ତି।
ଓ୍ବାକଫ୍‌ ବୋର୍ଡର ଅଧ୍ୟକ୍ଷ ଓ୍ବାସିମ୍‌ ରିଜ୍‌ଭି ଏଥିଲାଗି ରାଜି ଅଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ମଧ୍ୟସ୍ଥଙ୍କଠାରୁ ମତାମତ ମାଗିଥିବାବେଳେ ବେଦାନ୍ତୀ ଏଭଳି ମନ୍ତବ୍ୟ ରଖିଛନ୍ତି। ବେଦାନ୍ତୀ କହିଛନ୍ତି, ମୋଗଲ ଶାସକ ବାବରଙ୍କ ନାମରେ କିଛିନାହିଁ। ଏଠାରେ ସବୁକିଛି ଭଗବାନ ରାମଙ୍କ ନାମରେ ରହିଛି। ଶାନ୍ତି, ସାମ୍ପ୍ରଦାୟିକ ସଦ୍‌ଭାବ ଓ ଭାଇଚାରା ଲାଗି ମୁସଲମାନମାନେ ଖୋଲାଖୋଲି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କଥା କହୁଛନ୍ତି। ସୁନ୍ନି ଓ୍ବାକଫ୍‌ ବୋର୍ଡ ମାମଲା ପ୍ରତ୍ୟାହାର କରିନେବା ଉଚିତ୍‌। ୯୦ ଭାଗ ହିନ୍ଦୁ ରହୁଥିବା ଦେଶରେ ରାମମନ୍ଦିର ଲାଗି କୋର୍ଟରେ ସଂଘର୍ଷ କରିବାକୁ ପଡ଼ୁଛି। ରାମଲାଲା ଥିବା ସ୍ଥାନରେ କେହି ବି ମସ୍‌ଜିଦ ନିର୍ମାଣ କରିପାରିବେ ନାହିଁ ବୋଲି ବେଦାନ୍ତି କହିଛନ୍ତି।

Share