Categories: ଜାତୀୟ

ଅଯୋଧ୍ୟାରେ କବରସ୍ତାନ ଲାଗି ଜମି ଦାନକଲେ ହିନ୍ଦୁ

ଲକ୍ଷ୍ନୌ,୨୭ା୬: ଅଯୋଧ୍ୟାରେ ରାମ ଜନ୍ମଭୂମି ଜମିକୁ ନେଇ ଦୀର୍ଘ ଦଶନ୍ଧି ଧରି ହିନ୍ଦୁ ଓ ମୁସଲମାନ ସଂଗଠନ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ବୁଧବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ଏକ ସଦିଚ୍ଛାପୂର୍ଣ୍ଣ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଅଯୋଧ୍ୟା ଜିଲାରେ ମୁସଲମାନମାନଙ୍କ କବରସ୍ତାନ ପାଇଁ ହିନ୍ଦୁମାନେ ଜମି ଦାନ କରିଛନ୍ତି। ଗୋସାଇଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବେଲାରିଖାନ ଗ୍ରାମରେ ଏହି ଜମି ଦାନ କରାଯାଇଛି। ଏହି ଜମିକୁ ନେଇ ଦୀର୍ଘବର୍ଷ ଧରି ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଲାଗିରହିଥିଲା। ବିବାଦର ସମାଧାନ ଲାଗି ସ୍ଥାନୀୟ ସନ୍ଥ ସୂର୍ଯ୍ୟକୁମାର ଝିଙ୍କନ ମହାରାଜ ଏବଂ ଅନ୍ୟ ୮ ଜଣ ଅଂଶୀଦାର ମୁସଲମାନଙ୍କୁ ୧.୨୫ ବିଶ୍ୱା ଜମି ହସ୍ତାନ୍ତର କରିବା ଲାଗି କବଲାରେ ସ୍ବାକ୍ଷର କରିଛନ୍ତି। ରେକର୍ଡ ଅନୁଯାୟୀ ଉକ୍ତ ଜମି ହିନ୍ଦୁମାନଙ୍କର। ଏହା ଏକ କବରସ୍ତାନ ପାଖରେ ଥିବାରୁ ମୁସଲମାନମାନେ ସେଠାରେ ମୃତଦେହ କବର ଦେଉଥିଲେ। ଏହାକୁ ନେଇ ବିବାଦ ଓ ଉତ୍ତେଜନା ଲାଗି ରହିଥିଲା। ଏବେ ବିବାଦର ସମାଧାନ ହୋଇଗଲା ବୋଲି ସନ୍ଥ ମହାରାଜ କହିଛନ୍ତି।

Share