ଅଯଥା ନୁହେଁ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ

ବିଚିତ୍ର ବିଶ୍ୱାଳ
କିଛିଦିନ ତଳେ ବହୁଳ ପ୍ରଚାରିତ ଏକ ଖବର ଅନୁସାରେ ଜାପାନ ସରକାର ଜଣେ ମାତ୍ର ଯାତ୍ରୀ ପାଇଁ ଗୋଟିଏ ଟ୍ରେନ୍‌କୁ ଏକ ନିର୍ଦ୍ଦିଷ୍ଟ ଷ୍ଟେଶନ୍‌ ପର୍ଯ୍ୟନ୍ତ ଆଗକୁ ଚଳାଉଥିଲେ। ସେହି ଯାତ୍ରୀ ଜଣକ ଜଣେ ଦଶମ ଶ୍ରେଣୀର ଛାତ୍ରୀ ଥିଲା। ସେହି ଷ୍ଟେଶନ୍‌ରେ ଆଉ କେହି ଯାତ୍ରୀ ଟ୍ରେନ୍‌ରେ ଚଢ଼ନ୍ତି ନାହଁି କି ଓହ୍ଲାନ୍ତି ନାହଁି। ଜାପାନ୍‌ର କ୍ୟୁ ସିରାଟାକି ଷ୍ଟେଶନ୍‌ରେ ସେହି ଛାତ୍ରୀଟିର ସୁବିଧାରେ ସ୍କୁଲ୍‌କୁ ଯିବା ପାଇଁ ଓ ଘରକୁ ଫେରିବା ପାଇଁ ପ୍ରତିଦିନ ଦୁଇଥର ଟ୍ରେନ୍‌ ରୁହେ। ଏଥିରୁ ଜାପାନ ସରକାରଙ୍କର ଶିକ୍ଷା ପ୍ରତି ଥିବା ପ୍ରତିବଦ୍ଧତା ବୁଝାପଡ଼ୁଛି। କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଆମ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବାକୁ ଅଯଥା ଭାବୁଛନ୍ତି। ଏହା କେବଳ ଆମ ରାଜ୍ୟର କାହାଣୀ ନୁହେଁ, ସାରା ଦେଶରେ ଏବେ ଏହି ଧାରା ଆରମ୍ଭ ହୋଇଯାଇଛି। ସଂପ୍ରତି ଶିକ୍ଷାକୁ ଯେପରି ଯୋଜନାବଦ୍ଧ ଭାବେ ଘରୋଇକରଣ କରିବା ପାଇଁ ପ୍ରୟାସ କରାଯାଉଛି, ଆଉ କିଛିଦିନ ଭିତରେ ଶିକ୍ଷା କେବଳ ଧନିକମାନଙ୍କର ବିଷୟ ହୋଇ ରହିଯିବ। ଗରିବମାନଙ୍କ ପାଇଁ ଉନ୍ନତମାନର ଶିକ୍ଷା ଆଉ ଉପଲବ୍‌ଧ ହୋଇପାରିବ କି ନାହଁି ସନ୍ଦେହ।
ଯଦିଓ ସଂପ୍ରତି ଆମ ରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କର ପ୍ରଭାବ ବଢ଼ି ବଢ଼ି ଚାଲୁଛି, ତଥାପି ସରକାରୀ ସ୍କୁଲ୍‌ ହଁି ଶିକ୍ଷାର ମୁଖ୍ୟ ଆଧାର ହୋଇ ଠିଆହୋଇଛି। ରାଜ୍ୟର ଅଧିକାଂଶ ପିଲା ଶିକ୍ଷା ପାଇଁ ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି। କାରଣ ଘରୋଇ ବିଦ୍ୟାଳୟରେ ପଢ଼ିବା ପରି ସମ୍ବଳ ଅନେକଙ୍କ ପାଖରେ ନାହଁି। କିନ୍ତୁ ବର୍ତ୍ତମାନ ସରକାରଙ୍କର ଘୋଷଣା ଅନୁଯାୟୀ ଆମ ରାଜ୍ୟରେ ପ୍ରାୟ ୧୪,୩୭୯ଟି ସରକାରୀ ବିଦ୍ୟାଳୟ ଏବେ ବନ୍ଦ ହେବାକୁ ଯାଉଛି। ଏହା ସାଧାରଣ ତଥା ନିମ୍ନ ରୋଜଗାର ବର୍ଗର ପିଲାମାନଙ୍କ ପାଇଁ ଆଗାମୀ ସମୟରେ ଏକ ବଡ଼ ସଂକଟ ହୋଇ ଉଭାହେବ। ସରକାରଙ୍କ ସୂଚନା ଅନୁଯାୟୀ ଯେଉଁ ସରକାରୀ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ପିଲା ହେଉନାହାନ୍ତି, ସେଗୁଡ଼ିକୁ ବନ୍ଦ କରିଦିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ସବୁ ବିଦ୍ୟାଳୟକୁ ନିକଟସ୍ଥ ସରକାରୀ ବିଦ୍ୟାଳୟ ସହିତ ମିଶ୍ରଣ କରାଯିବ। ସରକାରଙ୍କ ସୂଚନା ଅନୁଯାୟୀ ଯେ କୌଣସି ଦୂରତାରେ ଥିବା ୨୦ କିମ୍ବା ତା’ଠାରୁ କମ୍‌ ଛାତ୍ରୀଛାତ୍ର ଥିବା ପ୍ରାଥମିକ ବିଦ୍ୟାଳୟ, ୧ କି.ମି. ଦୂରତାରେ ୪୦ରୁ କମ୍‌ ଛାତ୍ରୀଛାତ୍ର ଥିବା ପ୍ରାଥମିକ ବିଦ୍ୟାଳୟ, ୨ କି.ମି. ଦୂରତାରେ ୫୦ରୁ କମ୍‌ ପିଲା ଥିବା ୟୁ.ପି. ସ୍କୁଲ୍‌ (ଷଷ୍ଠରୁ ଅଷ୍ଟମ), ୧ କି.ମି. ଦୂରତାରେ ୬୦ରୁ କମ୍‌ ପିଲା ଥିବା ୟୁ.ପି. ସ୍କୁଲ୍‌ (ପ୍ରଥମରୁ ଅଷ୍ଟମ), ୨ କି.ମି. ଦୂରରେ ୫୦ରୁ କମ୍‌ ପିଲା ଥିବା ମାଧ୍ୟମିକ ବିଦ୍ୟାଳୟ (ଷଷ୍ଠରୁ ଦଶମ), ୨ କି.ମି. ଦୂରରେ ୮୦ରୁ କମ୍‌ ପିଲା ଥିବା ମାଧ୍ୟମିକ ବିଦ୍ୟାଳୟ (ପ୍ରଥମରୁ ଦଶମ), ୩ କି.ମି. ଦୂରତାରେ ୬୦ରୁ କମ୍‌ ପିଲା ଥିବା ମାଧ୍ୟମିକ ବିଦ୍ୟାଳୟ (ନବମ ଓ ଦଶମ) ଆଦିକୁ ବନ୍ଦ କରିଦିଆଯିବ। ଆମ ରାଜ୍ୟରେ ୧ କି.ମି. ଦୂରତା ମଧ୍ୟରେ ୪୦ରୁ କମ୍‌ ଛାତ୍ରୀଛାତ୍ର ଥିବା ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ମୋଟ୍‌ ୫,୧୭୭ ହୋଇଥିବା ବେଳେ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୪୪୮ଟି ଏପରି ବିଦ୍ୟାଳୟ ଅଛି ଏବଂ ଜଗତ୍‌ସିଂହପୁର ଜିଲାରେ ସର୍ବନିମ୍ନ ୫୮ଟି ଏପରି ବିଦ୍ୟାଳୟ ରହିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨,୮୬୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି, ଯେଉଁଠାରେ ୨୦ରୁ କମ୍‌ ଛାତ୍ରୀଛାତ୍ର ଅଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି, ଯେଉଁସବୁ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି, ସେହି ବିଦ୍ୟାଳୟରେ ପଢ଼ୁଥିବା ପିଲାମାନେ କରିବେ କ’ଣ! ପଢ଼ିବେ କେଉଁଠି? ସରକାରଙ୍କ ପ୍ରସ୍ତାବ ଅନୁସାରେ ସେହି ସବୁ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶ୍ରଣ କରାଯିବ। ସରକାରଙ୍କ ଭାଷାରେ ନିକଟସ୍ଥ ଅର୍ଥ ୧ କି.ମି. ଦୂରତା। କିନ୍ତୁ ପ୍ରଥମ ଦ୍ୱିତୀୟରେ ପଢ଼ୁଥିବା ଜଣେ ଛୋଟ ପିଲା ୧ କି.ମି. ଦୂରକୁ ପଢ଼ିବାକୁ ଯାଇପାରିବ କି? ସେହି ପିଲାକୁ ସ୍କୁଲ୍‌କୁ ପଠାଇ ଘରେ ତାଙ୍କ ଅଭିଭାବକ ନିରାପଦ ମନରେ ରହିପାରିବେ କି? ଦେଖାଯାଉଛି ଯେ, ୨୦ରୁ କମ୍‌ ପିଲା ଥିବା ଅଧିକାଂଶ ବିଦ୍ୟାଳୟ ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅବସ୍ଥିତ। ସେହି ଜିଲାଗୁଡ଼ିକରେ ରାସ୍ତାଘାଟ ମୁଖ୍ୟତଃ ପାହାଡ଼, ପର୍ବତ ଓ ଜଙ୍ଗଲ ଘେରା ହୋଇ ଅତ୍ୟନ୍ତ ଦୁର୍ଗମ। ଏପରି କ୍ଷେତ୍ରରେ ଆମେ କିପରି ଆଶା କରିପାରିବା ଯେ, ଗୋଟେ ଛୋଟ ପିଲା ୧ କି.ମି. ଚାଲି ଚାଲି ଯାଇ ବିଦ୍ୟାଳୟରେ ଯୋଗ ଦେଇପାରିବ! ସେହିସବୁ ଜିଲାଗୁଡ଼ିକ ମୂଳରୁ ହଁି ଶିକ୍ଷା କ୍ଷେତ୍ରରେ ଅତ୍ୟନ୍ତ ପଛୁଆ। ସଂପ୍ରତି ଯେପରି ଭାବେ ସ୍କୁଲ୍‌ଗୁଡ଼ିକୁ ବନ୍ଦ କରିବାର ନିଷ୍ପତ୍ତି ନିଆଯାଉଛି, ସେହି ଜିଲାଗୁଡ଼ିକ ଆହୁରି ପଛକୁ ଚାଲିଯିବେ। ସଂପ୍ରତି ଦେଖାଯାଉଛି ଯେ, ନିଜ ଗାଁରେ ସ୍କୁଲ୍‌ ଥାଇ ବି ଆମ ଶିକ୍ଷା ବ୍ୟବସ୍ଥା ଅନେକ ପିଲାଙ୍କୁ ସ୍କୁଲ୍‌କୁ ଆଣିବାରେ ଓ ଡ୍ରପ୍‌ ଆଉଟ୍‌ ରୋକିବାରେ ସକ୍ଷମ ହୋଇପାରି ନାହଁି। ଯେତେବେଳେ ସ୍କୁଲ୍‌ ୧ କି.ମି. ଦୂରକୁ ଚାଲିଯିବ ସେତେବେଳେ କେତେ ପିଲା ଡ୍ରପ୍‌ ଆଉଟ୍‌ ହେବେ ତାହା ଅନୁମେୟ। ସରକାର କହୁଛନ୍ତି ଯେ, ଯେଉଁ ସ୍କୁଲ୍‌ରେ ୨୦ରୁ କମ୍‌ ପିଲା ଅଛନ୍ତି ସେଠାରେ ଅଯଥାରେ ସମ୍ବଳ ଖର୍ଚ୍ଚ କରିବା କ’ଣ ଦରକାର! କିନ୍ତୁ ୨୦ରୁ କମ୍‌ ବି ହୁଅନ୍ତୁ, ପିଲାମାନଙ୍କ ଶିକ୍ଷା ପାଇଁ ସମ୍ବଳ ଖର୍ଚ୍ଚ କରିବା କ’ଣ ସରକାରଙ୍କ ଦାୟିତ୍ୱ ନୁହେଁ? ଏହା କ’ଣ ଏକ ଅଯଥା ନିବେଶ? ସ୍କୁଲ୍‌ ଦୂରକୁ ଚାଲିଯିବା ଯୋଗୁ ଯେଉଁ ୨୦ ଜଣ ପିଲା ଆଉ ସ୍କୁଲ୍‌କୁ ଯିବା ପାଇଁ ସକ୍ଷମ ହୋଇପାରିବେ ନାହଁି, ସେମାନଙ୍କ ଶିକ୍ଷା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ଏହି ନିଷ୍ପତ୍ତିିରୁ ବୁଝିହେଉଛି। ଏହାଦ୍ୱାରା ଗରିବ ତଥା ସାଧାରଣ ପିଲାମାନଙ୍କର ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଉନାହଁି କି? ସରକାରଙ୍କ ଦାୟିତ୍ୱ ପିଲାମାନଙ୍କୁ ସୁବିଧା ହେବା ଭଳି ସ୍ଥାନରେ ତାଙ୍କ ପାଇଁ ଉନ୍ନତ ମାନର ଶିକ୍ଷା ଯୋଗାଇଦେବା। କିନ୍ତୁ ସରକାର ତ ଶିକ୍ଷା ପ୍ରଦାନ ଭଳି ସେବାକୁ ଲାଭକ୍ଷତିର ନିକିତିରେ ଦେଖି କମ୍‌ ପିଲା ଥିବା ସ୍କୁଲ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇ ଖର୍ଚ୍ଚ କାଟ କରିବାକୁ ଚାହଁୁଛନ୍ତି। ଗୋଟିଏ ପଟେ ସହରୀକରଣ କରିବାରେ, ବଡ଼ ବଡ଼ ପାର୍କ ତିଆରି କରିବାରେ, ବିଜ୍ଞାପନ ବାବଦରେ, ଶିଳ୍ପପତିମାନଙ୍କୁ ସବ୍‌ସିଡି ଦେବାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ପିଲାମାନଙ୍କୁ ଶିକ୍ଷା ଯୋଗାଇବାରେ ସରକାର ଏତେ କଞ୍ଜୁସ୍‌ ହେଉଛନ୍ତି କାହଁିକି?
ସରକାରୀ ବିଦ୍ୟାଳୟଗୁଡ଼ିକୁ ଯେପରି ଭାବେ ଯୋଜନାବଦ୍ଧ ଭାବେ ରୁଗ୍‌ଣ କରି ରଖାଯାଉଛି ଓ ଘରୋଇ ବିଦ୍ୟାଳୟକୁ ପ୍ରୋତ୍ସାହନ ଦିଆଯାଉଛି, ପରିଣାମସ୍ବରୂପ ଘରୋଇ ବିଦ୍ୟାଳୟ ପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ୁଛି। ଘରୋଇ ବିଦ୍ୟାଳୟରେ ଛାତ୍ରସଂଖ୍ୟା ବଢ଼ୁଥିବା ବେଳେ ସରକାରୀ ବିଦ୍ୟାଳୟରେ ଛାତ୍ରସଂଖ୍ୟା କମୁଛି। ଗୋଟିଏ ପଟେ ସରକାରୀ ବିଦ୍ୟାଳୟରେ ଛାତ୍ର ସଂଖ୍ୟା ବୃଦ୍ଧି କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହଁି ଓ ଅନ୍ୟପଟେ ଛାତ୍ର କମିଯାଉଥିବାରୁ ବିଦ୍ୟାଳୟକୁ ବନ୍ଦ କରିବାର ନିଷ୍ପତ୍ତି ନିଆଯାଉଛି। ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ଶିକ୍ଷାରୁ ହାତ କାଢ଼ିନେଇ ଶିକ୍ଷାକୁ ଘରୋଇକରଣ କରିବା ପାଇଁ ଦ୍ରୁତଗତିରେ ସରକାର ଲାଗିପଡ଼ିଛନ୍ତି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri