ଅମାନିଆଙ୍କୁ ସାବାଡ୍‌ କଲା ପୋଲିସ

ଢେଙ୍କାନାଳ ଅଫିସ, ୯।୪: ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଖୋର୍ଦ୍ଧା, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ପୁରୀ, କଳାହାଣ୍ଡି, ଯାଜପୁର ଜିଲାରେ ସଂକ୍ରମଣ ଦେଖାଦେଇଛି। ସୀମାବର୍ତ୍ତୀ ଜିଲାରେ କୋଭିଡ୍‌-୧୯ର ପଦଧ୍ୱନି ପରେ ସତର୍କ ହୋଇଉଠିଛି ଢେଙ୍କାନାଳ ଜିଲା ପ୍ରଶାସନ। ଜିଲାରେ ଲକ୍‌ଡାଉନ ଏବଂ ସାମାଜିକ ଦୂରତ୍ୱ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। ଲୋକମାନଙ୍କୁ ସଚେତନ କରାଯିବା ସହ ସେମାନଙ୍କ ଜୀବନକୁ ସୁରକ୍ଷିତ ରଖିବା ଲାଗି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି।
ସହରରେ ବୁଧବାରଠାରୁ ଦୁଇଚକିଆ ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ତଥାପି ବିଭିନ୍ନ ଆଳ ଦେଖାଇ ଲକ୍‌ଡାଉନ କଟକଣା ଉଲ୍ଲଂଘନ କରୁଛନ୍ତି ଅମାନିଆ ଯୁବକ। ସମ୍ପୃକ୍ତ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ସନ୍ଧ୍ୟା ସୁଦ୍ଧା ୯ ଗାଡ଼ି ଜବତ କରାଯିବା ସହ ୧୪ ଜଣଙ୍କୁ ଗିରଫ କରାଯାଇଛି। ୧୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଟାଉନ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏସ୍‌ପି ଅନୁପମା ଜେମ୍‌ସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ଅଧିକାରୀମାନେ ଜନଗହଳି ସ୍ଥାନରେ ଯାନବାହନ ଯାଞ୍ଚ କରିଥିଲେ। ଜରୁରୀ କାର୍ଯ୍ୟ ନ ଥିଲେ ବାହାରେ ନ ବୁଲିବାକୁ ଏସ୍‌ପି ସଚେତନ କରିଥିଲେ। ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଏସ୍‌ପିଙ୍କ ନିର୍ଦ୍ଦେଶରେ ଟାଉନ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ, ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ, ପିଏସ୍‌ଆଇ ପ୍ରିୟଦର୍ଶିନୀ ଈପ୍‌ସିତା, ଇତିଶ୍ରୀ ବେହେରା, ଦେବାଶିଷ ଶତପଥୀ, ହିମାଂଶୁ ଶେଖର ପାତ୍ରଙ୍କୁ ନେଇ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠିତ ହୋଇଛି। ଏହି ସ୍କ୍ବାଡ୍‌ ସହରର ମୁଖ୍ୟ ରାସ୍ତା, ଛକ, ଗଳିକନ୍ଦିରେ ପଇଁତରା ମାରିବା ସହ ନିୟମ ଉଲ୍ଲଂଘନ କରୁଥିବା ଯୁବକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।