ଅମରେଶ ହତ୍ୟା ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଅମରେଶ ନାୟକ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଆଉ ୩ଜଣଙ୍କୁ ଶନିବାର ପୋଲିସ ଗିରଫ କରିଛି। ସେମାନେ ହେଲେ ସୁନ୍ଦରପଦାର ରଘୁ, ବବୁଲ ଓ ଉଙ୍କା। ଏମାନଙ୍କୁ ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରୁ ଗିରଫ କରାଯାଇଥିବା ପୋଲିସ କହିଛି। ଗତ ୬ତାରିଖରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ବସ୍ତିଆଙ୍କ ସମେତ ୩ଜଣଙ୍କୁ ଗିରଫ କରାଯାଇଥିଲା। ଫଳରେ ମୋଟ ଗିରଫ ସଂଖ୍ୟା ୬ ହେଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଆହୁରି ୮ଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିିଛି। ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ସୂଚନା ଅନୁଯାୟୀ, ଅମରେଶ ଓ ମୁଖ୍ୟ ଅଭିଯୁକ୍ତ ଶଙ୍କରଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା। ମାତ୍ର ପରେ ଦୁହିଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଫଳରେ ଉଭୟ ଗୋଷ୍ଠୀ ଭାଗ ହୋଇଯାଇଥିଲେ। ଗତ ୨୭ ତାରିଖ ଦୀପାବଳି ରାତିରେ ଅମରେଶ ଓ ତାଙ୍କ ସାଥୀମାନେ ଏକାମ୍ର କଲେଜ ପଛପଟ ପଡ଼ିଆରେ ଭୋଜି କରି ବାଣ ଫୁଟାଉଥିଲେ। ବାଣର କିଛି ଅଂଶ ଶଙ୍କରଙ୍କ ଗୋଷ୍ଠୀର ଜଣେ ଯୁବକଙ୍କ ଦେହରେ ପଡ଼ିଥିଲା। ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଶଙ୍କର ଓ ତାଙ୍କ ସମର୍ଥକମାନେ ପହଞ୍ଚି ଅମରେଶଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଅମରେଶଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।