ଅଭିଯୋଗ ରଖୁନି ପୋଲିସ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ କଲେଜ ଛାତ୍ର

ବାରିପଦା ଅଫିସ/କୁଆମରା,୨୨ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଦେବାଶିଷ ମହନ୍ତଙ୍କ ସହିତ କଲେଜ କର୍ତ୍ତୃପକ୍ଷଙ୍କ ଗଣ୍ଡଗୋଳ ଘଟଣା ଥମିବାର ନାଁ ଧରୁନି। ସୋମବାର ଦେବାଶିଷ ଏହି ଘଟଣାକୁ ନେଇ ଏସ୍‌ପି ପରମାର ସ୍ମିଥ୍‌ ପୁରୁଷୋତ୍ତମ ଦାସଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଖୁଣ୍ଟା ଥାନା ପୋଲିସ ମାମଲା ରଖିବାକୁ ମନା କରୁଥିବାରୁ ସେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଲିଖିତ ଭାବେ ଦାବି କରିଛନ୍ତି। ଏହାସହିତ ସମସ୍ତ ଘଟଣାର ଭିଡିଓ ଫୁଟେଜ୍‌ ମଧ୍ୟ ସେ ଏସ୍‌ପିଙ୍କୁ ଦେଇଛନ୍ତି। ଏହି ଘଟଣାର ତଦନ୍ତ ଜଣେ ଆଡିଶନାଲ ଏସ୍‌ପି କରିବେ ବୋଲି ଏସ୍‌ପି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଟିସି ନେବାକୁ କେନ୍ଦ୍ରକରି କଲେଜ କର୍ତ୍ତୃପକ୍ଷଙ୍କ ସହ ଦେବାଶିଷଙ୍କ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା। ଏଥିନେଇ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା। ଛାତ୍ରୀଛାତ୍ରମାନେ କଲେଜ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ।