ଅଭିଯୋଗକାରୀଙ୍କୁ ମାଡମାରି ଜେଲ ଗଲେ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷଙ୍କ ପୁତରା ବି ଗିରଫ

ନୂଆପଡା ଅଫିସ/ଖଡିଆଳ,୨ା୧- ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଫରେଷ୍ଟରଙ୍କୁ ମାଡପିଟ କରିବା ସହ ପୋଲିସକୁ ଗାଳିଗୁଳଜ କରିବା ଅଭିଯୋଗରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବରଙ୍କୁ ଗିରଫ କରିଛି ପୋଲିସ। ଗୁରୁବାର ପୂର୍ବାହ୍ନରେ ତାଙ୍କୁ ଗିରଫ କରାଯାଇଛି। ଦଫା ୩୪୧, ୨୯୪, ୩୨୩, ୩୫୪, ୫୦୬, ୧୮୬, ୪୨୭, ୩୪ରେ ଏକ ମାମଲା ରୁଜୁ କରାଯାଇ ସନ୍ଧ୍ୟାରେ କୋର୍ଟକୁ ଚାଲାଣ କରାଯାଇଛି।
ବିବରଣୀମତେ ମଙ୍ଗଳବାର ରାତି ୯ଟାବେଳେ ବଜାର ପଡାରେ ଧନୁଯାତ୍ରା ଚାଲିଥିବା ସମୟରେ ସୁନୀଲ ନାଇଡୁ (୨୫)ନାମକ ଜନୈକ ଅଟୋ ଚାଳକଙ୍କୁ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବରଙ୍କ ପୁତୁରା ପ୍ରଲେନ୍ଦୁ ଶବର(୨୫) ଗାଳିଗୁଳଜ କରିଥିଲେ। ଏହା ସହ ମାଡ ପିଟ କରି ଅଟୋକୁ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ସୁନୀଲ ଏବଂ ତାଙ୍କ ପିତା ତଥା ଫରେଷ୍ଟର ସନ୍ତୋଷ ଖଡିଆଳ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଏହି ଖବରପାଇ ବ୍ଲକ ଅଧ୍ୟକ୍ଷ ଶବର ରାଗ ତମତମ ହୋଇ ଥାନାକୁ ଆସିଥିଲେ। ଥାନା କ୍ୟାମ୍ପସ ଭିତରେ ବାପପୁଅଙ୍କୁ ଗାଳି ଗୁଳଜ କରିବା ସହ ମାଡପିଟ କରିଥିଲେ। ଏପରିକି ପୋଲିସକୁ ମଧ୍ୟ ଗାଳି କରିବାରେ ପଛାଇ ନ ଥିଲେ। ଯେତେ ବୁଝାଶୁଝା କରିଥିଲେ ମଧ୍ୟ ସେଥିରୁ ନିବୃତ ହୋଇ ନ ଥିଲେ। ଏହାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲା। ଗୁରୁବାର ମଧ୍ୟାହ୍ନରେ ଥାନା ଛକ ଦେଇ ନିଜ ଗାଡିରେ ବ୍ଲକ ଅଧ୍ୟକ୍ଷ ଯାଉଥିବା ସମୟରେ ପୋଲିସ ଅଟକାଇ ଗିରଫ କରି ନେଇଥିଲା। ତେବେ ଦୁଇ କାକା ପୁତୁରାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ଗିରଫଦାରୀ ଏଠାରେ ଚର୍ଚ୍ଚାର ବିଷୟ ହୋଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, ବିଗତ ଦିନମାନଙ୍କରେ ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ବ୍ଲକ ଅଧ୍ୟକ୍ଷ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ଏପରିକି ତାଙ୍କ ବିରୁଦ୍ଧରେ ପଞ୍ଚାୟତ ସମିତିର ଲୋକପ୍ରତିନିଧିମାନେ ଗତ ନଭେମ୍ବର ୧ରେ ଅନାସ୍ଥା ଭୋଟ ଦେଇଛନ୍ତି। ହାଇକୋର୍ଟର ରହିତାଦେଶ ଆଣି ପଦବୀରେ ରହିଥିଲେ।