Categories: ଜାତୀୟ

ଅଭିଯୁକ୍ତ ଡାକ୍ତରଙ୍କୁ ଦୋଷମୁକ୍ତ କରିବା ସହିତ ଗୋଟିଏ ବର୍ଷରେ ଶହେ ବୃକ୍ଷ ଚାରା ରୋପଣ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୬।୭: ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ଡାକ୍ତରଙ୍କୁ ସୁପ୍ରିମ୍‌କୋର୍ଟ ଦୋଷମୁକ୍ତ କରିଛନ୍ତି। ତେବେ ଡାକ୍ତର ଏଭଳି ଅପରାଧ କରିଥିବା ସମୟରେ ନାବାଳକ ଥିବାରୁ ତାଙ୍କୁ ଦଣ୍ଡ ଭାବେ ଗୋଟିଏ ବର୍ଷରେ ଶହେ ବୃକ୍ଷଚାରା ରୋପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଲୋକଙ୍କ ସେବା କରିବା ପାଇଁ କହିଛନ୍ତି। ୧୫ ବର୍ଷତଳେ ୨୦୦୪ରେ ଏକ ହତ୍ୟା ଉଦ୍ୟମରେ ସୋଲେମନ୍‌ ଏସ୍‌.କେ ନାମକ ଜଣେ ନାବାଳକଙ୍କୁ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟଙ୍କୁ କାଏମ୍‌ ରଖିଥିଲେ। ତେବେ ସୁପ୍ରିମ୍‌କୋର୍ଟରେ ଏହି ମାମଲାର ବିଚାର ଜାରି ରହିଥିଲା। ଇତିମଧ୍ୟରେ ଅଭିଯୁକ୍ତ ସୋଲେମନ୍‌ଙ୍କ ବୟସ ୩୨ ବର୍ଷ ହୋଇଥିବାବେଳେ ସେ ଡାକ୍ତରୀ ପାସ୍‌ କରିସାରିଛନ୍ତି। ଏହି ମାମଲାର ବିଚାର କରି ବିଚାରପତି ଏଲ୍‌. ନାଗେଶ୍ୱର ରାୟ ଏବଂ ହେମନ୍ତ ଗୁପ୍ତାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସୋଲେମନ୍‌ଙ୍କୁ ଦୋଷମୁକ୍ତ କରିଛନ୍ତି। ତେବେ ସୋଲେମନ୍‌ଙ୍କ ଦ୍ୱାରା ନିଯୁକ୍ତ ଆଇନଜୀବି ଏଥିପାଇଁ ସୋଲେମନ୍‌ଙ୍କୁ ଶହେ ବୃକ୍ଷଚାରା ରୋପଣକରିବାକୁ ନିର୍ଦ୍ଦେଶ ଦେବାକୁ ଖଣ୍ଡପୀଠଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଖଣ୍ଡପୀଠ ଗ୍ରହଣ କରିଥିଲେ।

Share