ଅଭିଯୁକ୍ତ ଗ୍ରାମ ସଭାପତି ଗିରଫ

ଢେଙ୍କାନାଳ ଅଫିସ, ୨୧।୩

ଆଇଆର୍‌ବି ହାବିଲଦାର ରାମଚନ୍ଦ୍ର ସାହୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଗ୍ରାମ ସଭାପତି ଶ୍ରୀକାନ୍ତ ସାହୁ ଶୁକ୍ରବାର ଧରାପଡ଼ିଛନ୍ତି। ପାରିଖେଦା ଜଙ୍ଗଲରୁ ପୋଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଘର ନିକଟରେ ଥିବା ଏକ କୁକୁଡ଼ା ଫାର୍ମରୁ ୫ଟି ଅଫୁଟା ବୋମା ଜବତ କରାଯାଇଛି। ସେଗୁଡ଼ିକୁ ନିଷ୍କ୍ରିୟ କରାଯାଇଛି। ଅନ୍ୟପଟେ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ କରିବାକୁ ପୋଲିସ ଖୋଳତାଡ଼ ଜାରି ରହିଛି। ଶ୍ରୀକାନ୍ତଙ୍କ ନାମରେ ସଦର ଥାନାରେ ୬ ଆପରାଧିକ ମାମଲା ରହିଥିବା ଏସ୍‌ପି ଅନୁପମା ଜେମ୍ସ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
କଳାହାଣ୍ଡିସ୍ଥିତ ୯-ଆଇଆରବି ବାଟାଲିୟନରେ କାର୍ଯ୍ୟରତ ରାମଚନ୍ଦ୍ର ଦୋଳମେଲଣ ଦେଖିବାକୁ ନିଜ ଗ୍ରାମ ଚାଉଳିଆ ଖମାରକୁ ଆସିଥିଲେ। ଗତ ୧୩ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ରାମଚନ୍ଦ୍ରଙ୍କ ଭାଇ ଖଗେଶ୍ୱରଙ୍କ ସହିତ ଶ୍ରୀକାନ୍ତଙ୍କ ବଚସା ହୋଇଥିଲା। ଏଥିରେ ରାମଚନ୍ଦ୍ର ହସ୍ତକ୍ଷେପ କରିଥିଲେ। ଏଥିରେ ଉତ୍ତେଜିତ ହୋଇ ଶ୍ରୀକାନ୍ତ ନିଜ ପିସ୍ତଲରୁ ଗୁଳିମାଡ଼ କରିଥିଲେ। ଗୁଳିଟି ରାମଚନ୍ଦ୍ରଙ୍କ ଡାହାଣପଟ ଛାତିରେ ବାଜିଥିଲା। ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଶ୍ରୀକାନ୍ତ ଏକ ବାଇକ୍‌ରେ ଫେରାର ହୋଇଯାଇଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଚଢ଼ାଉ ଜାରି ରଖିଥିଲା। ଶ୍ରୀକାନ୍ତ ପାରିଖେଦା ଜଙ୍ଗଲରେ ଲୁଚିଥିବା ସୂଚନା ପାଇ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ରଙ୍କ ନେତୃତ୍ୱରେ ସଦର ଥାନା ଅଧିକାରୀ ସନ୍ଧ୍ୟାରାଣୀ ବେଉରିଆ ସଦଳବଳ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ।
ଏ ନେଇ ନଂ. ୯୭/୨୦, ଦଫା ୩୪୧, ୩୨୩, ୨୯୪, ୩୦୨, ୨୫ ଓ ୨୭ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରାଯାଇଛି। ଶ୍ରୀକାନ୍ତ ବହୁ ଆପରାଧିକ ମାମଲାରେ ଜଡ଼ିତ। ତାଙ୍କ ନାମରେ ୨୦୦୦, ୨୦୧୩, ୨୦୧୫ ଓ ୨୦୧୮ରେ ୬ଟି ମାମଲା ରୁଜୁ ହୋଇଛି। ପିସ୍ତଲ ଜବତ କରିବାକୁ ପୋଲିସ ଖୋଳତାଡ଼ ଜାରି ରଖିଥିବା ଏସ୍‌ପି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଘଟଣାରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ତରଭା ଫାଣ୍ଡି ଅଧିକାରୀ ଏବଂ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି।