ଅଭିଯୁକ୍ତଙ୍କ ମାମଲା ଲଢ଼ିବାକୁ ମନାକଲା ଜିଲା ଓକିଲ ସଂଘ: ୩୦ରେ କଳାହାଣ୍ଡିର ସମସ୍ତ କେନ୍ଦ୍ର, ରାଜ୍ୟ ସରକାର କାର୍ଯ୍ୟାଳୟ ବନ୍ଦ କରାଯିବ

ଭବାନୀପାଟଣା,୨୬।୯ (ଡି.ଏନ.ଏ.)  କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଜିଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆସନ୍ତା ୩୦ ତାରିଖରେ କୋର୍ଟ କଚେରୀ, ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟାଳୟକୁ ବନ୍ଦ ପାଇଁ ସ୍ଥିର କରାଯାଇଛି। ଏଥିସହିତ ଜୁନାଗଡ ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଅଭିଯୁକ୍ତମାନଙ୍କ ପାଇଁ କୌଣସି ଓକିଲ କେସ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ସଂଘ ସଭାପତି ଭବେନ୍ଦ୍ର ପଣ୍ଡା ବୁଧବାର ସୂଚନା ଦେଇଛନ୍ତି । କଳାହାଣ୍ଡି ଓକିଲ ସଂଘ ତରଫରୁ ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯିବା ସହିତ ଏହି ମାମଲା ତୁରନ୍ତ ରାଜ୍ୟ ସରକାର ଫାଷ୍ଟଟ୍ରେକ୍‌ କୋର୍ଟରେ କେସ ତୁରନ୍ତ ଶୁଣାଣି ଆରମ୍ଭ କରିବା ପାଇଁ ଓକିଲ ସଂଘ ରାଜ୍ୟ ସରକାରଙ୍କଠାରେ ଦାବି କରିଛନ୍ତି। ଗତ ୧୪ ତାରିଖରେ ଜୁନାଗଡ ଥାନା ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଜାରିଙ୍ଗ ନିକଟସ୍ଥ ଜଙ୍ଗଲରେ ଦୁର୍ବୃତ୍ତମାନେ ଅମାନୁଷିକ ଭାବେ ଗଣବଳାତ୍କାର କରିବା ଅତ୍ୟନ୍ତ ନିନ୍ଦନୀୟ ଅଟେ। କଳାହାଣ୍ଡି ଓକିଲ ସଂଘର ସଭାପତି ଭବେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଂଘ ସାଧାରଣ ପରିଷଦ ବୈଠକରେ ଛାତ୍ରୀ ଗଣବଳାତ୍କାର ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ତରଫରୁ କଳାହାଣ୍ଡିର କୌଣସି ଓକିଲ କେସ ଲଢ଼ିବେ ନାହିଁ ବୋଲି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହିତ ହୋଇଛି। ସମ୍ପୃକ୍ତ ପୀଡିତାଙ୍କୁ ରାଜ୍ୟ ସରକାର ତୁରନ୍ତ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ସହିତ ତାର ସୁରକ୍ଷା ଓ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ସଂଘ ଦାବି କରିଛି। ବୈଠକରେ ସଂଘର ସଭାପତି ପଣ୍ଡାଙ୍କ ସମେତ ଉପସଭାପତି ଦିଲ୍ଲିପ କୁମାର ପ୍ରହରାଜ, ସମ୍ପାଦକ ଅଶ୍ୱିନୀ କୁମାର ଦାସ, ସହସମ୍ପାଦକ ନିହାର ରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ମହେଶପ୍ରସାଦ ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ ଖିରୋଦ୍‌ ପ୍ରସାଦ ନେଗୀ, ଅବଦୁଲ ସାଜିଦ୍‌, ପ୍ରସାନ୍ତ କୁମାର ବାରିକ, ମାନସ ରଞ୍ଜନ ମହାନ୍ତି, କୁନାଲ କୁମାର ବେହେରା, ଭବାନୀ ଶଙ୍କର ସାହୁ, ପ୍ରତାପ ପ୍ରଧାନ, ଶୁଭା୍ରଂଶୁ ଶେଖର ସାହୁ, ରୋହିଣିକାନ୍ତ ଚଲାଣ, ସୁନିଲ ଅଗ୍ରୱାଲ ପ୍ରମୁଖ ଆଇନଜୀବୀମାନେ ଆଲୋଚନାରେ ଭାଗ ନେଇଥିଲେ।