ଅଭିଯୁକ୍ତଙ୍କ ନିକଟରେ ପୋଲିସ କର୍ମଚାରୀ ବନ୍ଧୁକ ଛାଡ଼ିିବା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା

ବାରିପଦା ଅଫିସ,୧୬।୯- ବାରିପଦା ବସ୍‌ଷ୍ଟାଣ୍ଡରୁ ଟାଉନ ଥାନା ପୋଲିସ ଶନିବାର ଗଞ୍ଜେଇ ଜବତ କରିଥିବା ବେଳେ ଏହି କାରବାରରେ ସମ୍ପୃକ୍ତ ୨ ଅଣ ଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ବସ୍‌ଷ୍ଟାଣ୍ଡରୁ ସେମାନଙ୍କୁ ଥାନାକୁ ଆଣିବା ବେଳେ ପୋଲିସ ଜିପ ପଛରେ ଉଭୟ ଅଭିଯୁକ୍ତଙ୍କୁ ବସାଯାଇଥିବା ବେଳେ ଜବତ ଗଞ୍ଜେଇକୁ ମଧ୍ୟ ରଖାଯାଇଥିଲା। ତେବେ ଏହି ଅଭିଯୁକ୍ତମାନଙ୍କ ନିକଟରେ ପୋଲିସ କର୍ମଚାରୀଙ୍କ ଏକ ବନ୍ଧୁକ ରଖାଯାଇଥିଲା। କେହି ଜଣେ କର୍ମଚାରୀ ଗାଡ଼ି ଭିତରେ ବେଫିକର ଭାବେ ବନ୍ଧୁକକୁ ଛାଡ଼ି ଯାଇଥିଲେ। ତେବେ ଅଭିଯୁକ୍ତମାନଙ୍କ ନିକଟରେ ବନ୍ଧୁକ ରଖିବା ବିସ୍ମୟକର କଥା। ଯଦି ଏହି ଅଭିଯୁକ୍ତମାନେ କିଛି ଅଘଟଣ ଘଟାଇଥାନ୍ତେ ତେବେ ସେଥିପାଇଁ ଦାୟୀ ରହିଥାନ୍ତା କିଏ ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ଏନେଇ କେବଳ ‘ଧରିତ୍ରୀ’ରେ ଏକ ରିପୋର୍ଟ ରବିବାର ପ୍ରକାଶ ପାଇଛି। ଏହି ଘଟଣାରେ ବାରିପଦା ଟାଉନ ଥାନା ପୋଲିସର କାର୍ଯ୍ୟଶୈଳୀକୁ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି। ମୋର୍ଚ୍ଚାର ସଭାପତି ଧରାମରାଜ ହାଁସଦା କାର୍ଯ୍ୟରେ ଅବହେଳା କରିଥିବା ପୋଲିସ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତିି। ଏ ନେଇ ସେ ଜିଲା ପୋଲିସ ମୁଖ୍ୟଙ୍କୁ ସାକ୍ଷାତ କରି ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବେ ବୋଲି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।