ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର ଅଫିସ,୨୨ା୧: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଲିଙ୍ଗରାଜ ଲ’ କଲେଜରେ ଠିକା ଭାବେ କାମ କରୁଥିବା ଟାଇପିଷ୍ଟ ପ୍ରଶାନ୍ତ କୁମାର ନାୟକ ଗିରଫ ହୋଇ ଜେଲ ଯାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ଜାମିନ ମିଳିଛି। ହାଇକୋର୍ଟ ନିର୍ଦ୍ଦେଶ ଆଧାରରେ ଶୁକ୍ରବାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସୁବ୍ରତ ମହାନ୍ତି ଅଭିଯୁକ୍ତ ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି।
ପ୍ରକାଶ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ପ୍ରଶାନ୍ତଙ୍କ ୧ କୋଟି ୪୪ ଲକ୍ଷ ୯୨ ହଜାର ୪୬୪ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା। ଯାହାର ହିସାବ ପ୍ରଶାନ୍ତ ଦେଇପାରି ନ ଥିଲେ। ଭିଜିଲାନ୍ସ ତାଙ୍କୁ ମାମଲା ନମ୍ବର ନଂ.୩୦/୨୦ ଅନୁସାରେ ଗତ ଡିସେମ୍ବର ୩୧ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୂର୍ବରୁ ସ୍ବତନ୍ତ୍ର ଭିଜିଲାନ୍ସ ପ୍ରଶାନ୍ତଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ଶେଷରେ ସେ ଉଚ୍ଚ ନ୍ୟାୟାଳୟରେ ଜାମିନ ପାଇଁ ଓକିଲଙ୍କ ଜରିଆରେ ଆବେଦନ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ପ୍ରଶାନ୍ତଙ୍କୁ ଜାମିନ ଦେବାକୁ ନିର୍ଦେଶ ଦେଇଛନ୍ତି। ମୁଦୁଲାଙ୍କ ପକ୍ଷରୁ ପ୍ରସାଦ କୁମାର ପଟ୍ଟନାୟକ ଓ ପ୍ରଦୀପ କୁମାର ପାଣିଗ୍ରାହୀ ମକଦ୍ଦମା ପରିଚାଳନା କରିଥିଲେ।