ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିକ୍ଷୋଭ : ପ୍ରତ୍ୟକ୍ଷଦର୍ଶୀଙ୍କୁ ହତ୍ୟା ଧମକ ଦିଆଯାଉଥିବା ଅଭିଯୋଗ

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗିସ୍ଥିତ ଏକାମ୍ର କଲେଜ ପଛପାର୍ଶ୍ୱ ପଡିଆରେ ଗତ ରବିବାର ରାତିରେ ଅମରେଶ ନାୟକଙ୍କୁ ହତ୍ୟା କରାଯାଇଥିଲା। ଇତିମଧ୍ୟରେ ଘଟଣାକୁ ୫ ଦିନ ବିତିଯାଇଥିବାବେଳେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଅମରେଶଙ୍କ ସମର୍ଥକମାନେ ଗୁରୁବାର କମିଶନରେଟ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସେମାନେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଭେଟି ଦାବି ଜଣାଇଥିଲେ। ଶୀଘ୍ର ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କମିଶନର ପ୍ରତିଶ୍ରୁତି ଦେଇଛନ୍ତି।
ଅମରେଶଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି ଯେ, ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀଙ୍କ ପାଖକୁ ଆକ୍ରମଣକାରୀଙ୍କ ଧମକ ପୂର୍ଣ୍ଣ ଫୋନ୍‌ କଲ ଆସୁଛି। ପୋଲିସ ଆଗରେ ବୟାନ ଦେଲେ କିମ୍ବା ଅନ୍ୟ କେଉଁଆଡେ ଗଲେ ଅମରେଶ ଭଳି ହତ୍ୟା କରାଯିବ ବୋଲି ଧମକ ଦିଆଯାଉଛି। ତେଣୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଅମରେଶଙ୍କ ସାଙ୍ଗ ସୁଜିତ ସେଠୀ କହିଛନ୍ତି। ରାଜନୈତିକ କାରଣ ପାଇଁ ଜଣେ କର୍ପୋରେଟର ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଘଟଣାସ୍ଥଳରେ ସେ ହିଁ ଉପସ୍ଥିତ ଥିବା ଦେଖିଥିଲି। ହତ୍ୟାକାରୀମାନେ ରାଜଧାନୀରେ ଲୁଚିରହି ଫୋନ୍‌ରେ ଧମକ ଦେଉଥିଲେ ମଧ୍ୟ ପୋଲିସ କିପରି ସେମାନଙ୍କୁ ଧରିପାରୁନି ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ଗଠିତ ଟିମ୍‌ ପକ୍ଷରୁ ଚଢାଉ ଜାରି ରହିଛି। ଏହି ଟିମ୍‌ ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ଚଢାଉ କରୁଛନ୍ତି। ଅଭିଯୁକ୍ତମାନେ ରାଜଧାନୀ ପାର୍‌ ହୋଇଯାଇଥିବା ଅନୁମାନ କରାଯାଉଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ତଦନ୍ତ ବାଟବଣା ହେବାର କୌଣସି କାରଣ ନାହିଁ। ହତ୍ୟାକାଣ୍ଡରେ ଅନେକ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି। ସେମାନଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ।