Categories: ବାଣିଜ୍ୟ

ଅଭିବୃଦ୍ଧିରେ ସହାୟକ ସ୍ଥିର ସରକାର:ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୪-୫- ଦେଶରେ ସ୍ଥିର ସରକାର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବ। ସେହିଭଳି ଘରୋଇ ବଜାରକୁ ବିଦେଶୀ ପୁଞ୍ଜି ଆଗମନରେ ଏହା ସହାୟକ ହେବ। କେନ୍ଦ୍ରରେ ଏନ୍‌ଡିଏ ସରକାର ଆସୁଥିବା ବେଳେ ଶିଳ୍ପ ଜଗତ ପକ୍ଷରୁ ଏଭଳି ମତ ପ୍ରକାଶ ପାଇଛି। ପ୍ରତିଷ୍ଠିତ ଶିଳ୍ପପତି ତଥା ଗୋଦରେଜ ଗ୍ରୁପର ଚେୟାରମ୍ୟାନ ଆଦି ଗୋଦରେଜ କହିଛନ୍ତି, ଦେଶର ଜିଡିପି ଅଭିବୃଦ୍ଧି ଲାଗି ନୂଆ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାର ଆଶା ରହିଛି। ଏହା ବାଦ କର୍ପୋରେଟ ଟିକସ କ୍ଷେତ୍ରରେ ସରକାର ବିଚାର କରିବାର ଆବଶ୍ୟକତା ରହିଛି। ଭାରତର କର୍ପୋରେଟ ଟିକସ ବିଶ୍ୱର ସର୍ବୋଚ୍ଚ ସ୍ତରରେ ରହିଛି। ଏଥିରେ ହ୍ରାସ ହେବାର ଆବଶ୍ୟକତାକୁ ଉପଲବ୍ଧି କରିବା ଉଚିତ୍‌। ସରକାର କର୍ପୋରେଟ ଟିକସକୁ ୨୫%କୁ ହ୍ରାସ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଗୋଦରେଜ କହିଛନ୍ତି। ଛୋଟ ଛୋଟ କମ୍ପାନୀଗୁଡିକ ଲାଗି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ଏହି ଦିଗରେ ଅନ୍ୟାନ୍ୟ ବିଭିନ୍ନ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।
ସେହିଭଳି ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ ମଧ୍ୟ ଘରୋଇ ବଜାର ଅଭିବୃଦ୍ଧି ଲାଗି ନୀତି ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାରୁ ସଂସ୍କାର ଧାରା ଜାରି ରଖିବା ଆବଶ୍ୟକ। ବାଣିଜ୍ୟ ଏବଂ ଉଦ୍ୟୋଗୀଙ୍କ ଲାଗି ସୁସ୍ଥ ବାତାବରଣ ଏବଂ ନିଯୁକ୍ତି ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପାନଗାରିଆ ଟୁଇଟ ଯୋଗେ କହିଛନ୍ତି।
ବିଏସ୍‌ଇ ମେମ୍ବର ରମେଶ ଦମାନୀ କହିଛନ୍ତି ଯେ, ଘରୋଇ ବଜାରରେ ଆଗାମୀ ଦିନରେ ଅଧିକ ବିଦେଶୀ ପୁଞ୍ଜି ଆଗମନ ଘଟିବ। ଘରୋଇ ବଜାରରେ ଅନେକ ଭଲ ନିବେଶକାରୀ କମ୍ପାନୀ ରହିଥିବା ବେଳେ ଏହି ଧାରାରେ ଉନ୍ନତି ଆସିବ ବୋଲି ଦମାନୀ କହିଛନ୍ତି। ନିର୍ବାଚନ ଯୋଗୁ ଗତ ୬ ମାସ ଧରି ଅନକେ ଡିଲ ଅସମ୍ପର୍ଣ୍ଣ ସ୍ଥିତିରେ ରହିଛି। ଏହି ଧାରାରେ ପରିବର୍ତ୍ତନ ଆସିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେହିଭଳି ଏଫଡିଆଇ ଆକୃଷ୍ଟ କରିବାରେ ଭାରତ ସ୍ଥାନ ଉଲ୍ଲେଖନୀୟ ରହିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ହାଉସ ଅଫ୍‌ ହୀରା ନନ୍ଦୀନିର ପ୍ରତିଷ୍ଠାତା ସୁରେନ୍ଦ୍ର ହୀରାନନ୍ଦୀନି କହିଛନ୍ତି, ସ୍ଥିର ସରକାର ରିୟଲ ଇଷ୍ଟେଟ କ୍ଷେତ୍ର ଅଭିବୃଦ୍ଧିରେ ସହାୟକ ହେବ। ସେହିଭଳି ନିବେଶ ଏବଂ ନିଯୁକ୍ତିକୁ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି।

Share