ଅଭିନେତ୍ରୀ ଲୌରା ବେଲ୍‌ କରୋନାରେ ସଂକ୍ରମିତ

ଓ୍ବାଶିଂଟନ,୨୬।୩: ଆମେରିକା ଚଳଚ୍ଚିତ୍ର ଦୁନିଆର ଅଭିନେତ୍ରୀ ଲୌରା ବେଲ୍‌ ବଣ୍ଡି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ୩୮ ବର୍ଷୀୟା ଏହି ଅଭିନେତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବୁଧବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିବା ସହ କୋଭିଡ-୧୯ ପଜିଟିଭ ଥିବା କହିଛନ୍ତି। ସେ ତାଙ୍କ ଭିଡ଼ିଓରେ ପ୍ରଶଂସକଙ୍କୁ କହିଛନ୍ତି, ମୁଁ କରୋନାରେ ପୀଡ଼ିତ। ହେଲେ ଏହାକୁ ନେଇ କେହି ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ମୋର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ମୋ ଡାକ୍ତରଙ୍କ ପରାମର୍ଶ କ୍ରମରେ ମୁଁ ଉଚିତ୍‌ ଖାଦ୍ୟ ଖାଇବା ସହ କିଛି କିଛି ପ୍ରାକୃତିକ ଚିକିତ୍ସା ମଧ୍ୟ କରୁଛି ବୋଲି ଲୌରା କହିଛନ୍ତି। ସୂଚନାଯୋଗ୍ୟ, ଆମେରିକାରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏହା ଆଗକୁ ଭୟଙ୍କର ସ୍ଥିତି ଉପୁଜାଇବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

Share