ଅଭିନେତ୍ରୀ ପୂର୍ବରୁ ଯୋଗ ଶିଖାଉଥିଲେ ଅନୁଷ୍କା

ଫିଲ୍ମ ‘ବାହୁବଳୀ-୨’ ସୁପରହିଟ୍‌ ହେବା ପରେ ‘ଦେବସେନା’ ଅର୍ଥାତ୍‌ ଅନୁଷ୍କା ସେଟ୍ଟୀଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା। ହେଲେ ଫିଲ୍ମରେ ନାୟକ ସାଜିଥିବା ଅଭିନେତା ପ୍ରଭାସଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ଅନୁଷ୍କା ସାଉଥ୍‌ ସିନେମାରେ କାମ କରୁଛନ୍ତି। ଆଜି ଅନୁଷ୍କା ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା।
ଅନୁଷ୍କାଙ୍କ ପ୍ରକୃତ ନାମ ସ୍ବିଟି ସେଟ୍ଟୀ। ୨୦୦୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସୁପର’ରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଅଭିନୟ ପୂର୍ବରୁ ଅନୁଷ୍କା ପିଲାମାନଙ୍କୁ ଯୋଗ ଶିଖାଉଥିଲେ। ତାଙ୍କ ସୌନ୍ଦର୍ଯ୍ୟକୁ ଦେଖି ଏକଦା ଜଣେ ନିର୍ଦ୍ଦେଶକ ତାଙ୍କୁ ନିଜ ସିନେମାରେ ଅଫର ଦେଇଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ସଫଳ ସିନେମାରେ କାମ କରି ସେ ଏବେ ଜଣେ ଆଗଧାଡ଼ିର ଅଭିନେତ୍ରୀ ପାଲଟିଛନ୍ତି। ଅନୁଷ୍କାଙ୍କ ସଫଳ ସିନେମା ‘ସାଇଜ୍‌ ଜିରୋ’ ମଧ୍ୟରେ ଅନ୍ୟତମ। ଏଥିପାଇଁ ସେ ୨୦ କିଲୋ ଓଜନ ବଢ଼ାଇଥିଲେ। ଖୁବ୍‌ କମ୍‌ ସମୟ ମଧ୍ୟରେ ସଫଳତା ପାଇଥିବା ଅଭିନେତ୍ରୀଙ୍କ ମଧ୍ୟରୁ ସେ ଜଣେ। ୨୦୧୦ରେ ସେ ତାମିଲ ଫିଲ୍ମ ‘ସିଂଘମ’ରେ କାମ କରିଥିଲେ। ପରେ ସେ ‘ସିଂଘମ୍‌ -୨’, ‘ବିଲ୍ଲା’ ଆଦି ଅନେକ ସିନେମାରେ କାମ କରିଛନ୍ତି। ‘ବିଲ୍ଲା’ରେ ଅନୁଷ୍କାଙ୍କ ବିପକ୍ଷରେ ପ୍ରଭାସ ଅଭିନେତା ସାଜିଥିଲେ। ଫିଲ୍ମର ଶୁଟିଂ ସମୟରେ ସେମାନେ ପରସ୍ପରର ନିକଟତର ହୋଇଥିଲେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା।

Share