ଅଭିନବ ଉପାୟରେ ବିଶ୍ୱକପ୍‌ ଶୁଭେଚ୍ଛା ଜଣାଇଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୧।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳକୁ ପ୍ରବଳ ସମର୍ଥନ ମିଳୁଛି। ଡିପେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ଠାରୁ ଆରମ୍ଭ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପର୍ଯ୍ୟନ୍ତ ବଡ଼ ସଂଖ୍ୟାରେ ପ୍ରଶଂସକ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ଅଭିନବ ଉପାୟରେ ସମର୍ଥନ ଜଣାଇଛନ୍ତି ଚେନ୍ନାଇସ୍ଥିତ ଏକ ସ୍କୁଲର ଛାତ୍ରୀଛାତ୍ର। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଛାତ୍ରୀଛାତ୍ର ବିଶ୍ୱକପ୍‌ ଟ୍ରଫି ଆକାରେ ବସି ଯୋଗ କରିଥିଲେ। ଏପରି କି ଆଇସିସି ବିଶ୍ୱକପ୍‌ ଅଫିସିଆଲ ଟୁଇଟର ଦ୍ୱାରା ଯୋଗ ଦିବସ ଅବସରରେ ଛାତ୍ରୀଛାତ୍ରଙ୍କ ଅଭିନବ ଉପାୟରେ ଭାରତୀୟ ଦଳକୁ ଜଣାଇଥିବା ଶୁଭେଚ୍ଛାକୁ ଶେୟାର କରାଯାଇଛି। ଜୁନ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ। ଭାରତୀୟ ଦଳ ଏବେ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଟିମ୍‌ ଇଣ୍ଡିଆ ଶନିବାର ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିବ।

Share