ଅବ୍ୟବସ୍ଥା ଦେଇ ଗତି କରୁଛି ବାରିପଦା ଜଗନ୍ନାଥ ମନ୍ଦିର: ଡିସେମ୍ବର ପହିଲାରୁ ସମୂହ ଇସ୍ତଫା ଦେବେ ସେବାୟତ

ବାରିପଦା ଅଫିସ,୧୯ା୧୧- ବାରିପଦା ସ୍ଥିତ ଜଗନ୍ନାଥ ମନ୍ଦିରର ସ୍ବାତନ୍ତ୍ର୍ୟ ରହିଛି। ଦେବୋତ୍ତର ବିଭାଗ ଦ୍ୱାରା ଏହା ପରିଚାଳିତ ହେଉଥିବା ବେଳେ ସବୁବେଳେ ବିଭିନ୍ନ ଅବ୍ୟବସ୍ଥା ଦେଇ ଗତି କରୁଛି। ଏ ନେଇ ସେବାୟତମାନେ ଅନେକ ଥର ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି। ନଭେମ୍ବର ଶେଷ ସୁଦ୍ଧା ମନ୍ଦିରର ବିଭିନ୍ନ ସମସ୍ୟା ସମାଧାନ ନ ହେଲେ ଡିସେମ୍ବର ପହିଲାରୁ ସମସ୍ତ ସେବାୟତ ସମୂହ ଇସ୍ତଫା ଦେବା ନେଇ ନିଷ୍ପତ୍ତି ନେଇଛନ୍ତି। ସେବାୟତ ଅରୁଣ କୁମାର ମିଶ୍ର, କାମେଶ୍ୱର ତ୍ରିପାଠୀ, ଶଶିଭୂଷଣ ଦାସ ଓ ସୋମନାଥ ପଣ୍ଡାଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଦେବୋତ୍ତର ଅଧିକାରୀ ତଥା ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯାଇଛି।

ସେବାୟତଙ୍କ ଅଭିଯୋଗ ଅନୁଯାୟୀ, ବିଗତ ୧୦ ବର୍ଷ ହେବ ସେମାନେ ମନ୍ଦିରର ସ୍ବାର୍ଥ ନେଇ ଆନ୍ଦୋଳନ କରିଆସୁଛନ୍ତି। ଗତ ଏପ୍ରିଲ ମାସରେ ବାରିପଦାକୁ ନିର୍ବାଚନ ପ୍ରଚାରରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମନ୍ଦିରକୁ ଆସି ଠାକୁର ଦର୍ଶନ କରିଥିଲେ। ସେତେବେଳେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଦାବି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ସେବାୟତମାନଙ୍କୁ ଭୁବନେଶ୍ୱର ଆସିବାକୁ କହି ଚାଲି ଯାଇଥିଲେ। ଏହା ପରେ ସେମାନଙ୍କ କଥା ପ୍ରତି ଜିଲା ପ୍ରଶାସନ ଓ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି କର୍ଣ୍ଣପାତ କରି ନ ଥିଲେ। ଫଳରେ ବାଧ୍ୟ ହୋଇ ସେମାନେ ଭୁବନେଶ୍ୱରକୁ ପଦଯାତ୍ରାରେ ବାହାରିଥିଲେ। ସେତେବେଳେ ସେମାନଙ୍କୁ ବୁଝା ସୁଝା କରି ଅଧା ରାସ୍ତାରୁ ଫେରେଇ ଅଣିଥିଲା ଜିଲା ପ୍ରଶାସନ। ମାତ୍ର ସେମାନଙ୍କ କଥା କେହି ନ ଶୁଣିବାରୁ ପୁନର୍ବାର ପଦଯାତ୍ରାରେ ଭୁବନେଶ୍ୱର ବାହାରିଥିଲେ। ପରେ ବାଧ୍ୟ ହୋଇ ଜିଲା ପ୍ରଶାସନ ସହଯୋଗରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିଥିଲା। ତେବେ ସେହି ଆଲୋଚନା ପ୍ରତିଶ୍ରୁତିରେ ରହିଯାଇଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଏଣୁ ସେମାନେ ସମୂହ ଇସ୍ତଫା ଦେବାର ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି।