Categories: ଅନୁଗୋଳ

ଅବ୍ୟବସ୍ଥାରେ ବଅଁରପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ର:ନିରୀକ୍ଷକ, ସହାୟକ ପଦବୀ ଖାଲି

ବଅଁରପାଳ, ୧୫ା୬ (ଡି.ଏନ୍‌.ଏ)ପ୍ରାଣୀ ସମ୍ପଦର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ଅନେକ ସମୟରେ ଗୃହ ଓ ଯନ୍ତ୍ରପାତି ନିଅଣ୍ଟ ସହ କର୍ମଚାରୀ ଅଭାବ ଯୋଗୁ ପ୍ରାଣୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି, ଯାହା ବଅଁରପାଳ ଅଞ୍ଚଳରେ ଦେଖିବାକୁ ମିଳିଛି।
ବଅଁରପାଳ ବ୍ଲକରେ ଗୋଟିଏ ବ୍ଲକ ସରକାରୀ ଚିକିତ୍ସାକେନ୍ଦ୍ର ଥିବାବେଳେ ୧୬ଟି ପ୍ରାଣୀଧନ କେନ୍ଦ୍ର ରହିଛି। ବଅଁରପାଳ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଜଣେ ପ୍ରାଣୀ ଚିକିତ୍ସା ଅଧିକାରୀ, ଜଣେ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଥିବାବେଳେ ଦୀର୍ଘ ଦିନ ହେଲା ମୋବାଇଲ ଭେଟ୍‌ନାରି ଅଫିସର ପଦବୀ ଖାଲି ପଡ଼ିଛି। ଆଉ ଜଣେ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ମଧ୍ୟ ଆବଶ୍ୟକତା ରହିଛି। ସେହିପରି ଫୁଲପଡ଼ା ଓ କୁଲାଡ଼ ଅଞ୍ଚଳରେ ପ୍ରାଣୀଧନ କେନ୍ଦ୍ର ପ୍ରାଣୀ ନିରୀକ୍ଷକ ପଦବୀ ଖାଲି ପଡ଼ିଛି। ଫୁଲପଡ଼ା, ମହୀଧରପୁର, କୁରୁଡ଼ୁଲୁ, ଜରାସିଂହା, ବିମଳବେଡ଼ା, ମରାତିରା ଆଦି ୬ଟି କେନ୍ଦ୍ରରେ ସହାୟକ ପଦବୀ ପୂରଣ ହେଉନାହିଁ। ଏହି କେନ୍ଦ୍ର ଗୁଡ଼ିକରେ କର୍ମଚାରୀ ଅଭାବ ଯୋଗୁ ଲୋକେ ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା କରାଇପାରୁନାହାନ୍ତି। ଅନ୍ୟପକ୍ଷରେ ବଅଁରପାଳ ପ୍ରାଣୀ ଚିକିତ୍ସାକେନ୍ଦ୍ରଟି ମରାମତି ଅଭାବରୁ ଶୋଚନୀୟ ହୋଇପଡିଲାଣି। ସେହିପରି କେନ୍ଦ୍ର ପରିସରରେ ଥିବା ନଳକୂଅରୁ ପାଣି ବାହାରୁ ନାହିଁ। ୨୦୦୬ ପ୍ରାଣୀ ଗଣନା ଅନୁସାରେ ଏହି କେନ୍ଦ୍ର ଅଧୀନରେ ୪୧ ହଜାର ଗୋରୁ, ୧୧ ଛେଳି ମେଣ୍ଢା ଓ ୫୦ ଘୁଷୁରି ରହିଛନ୍ତି। ବିଭିନ୍ନ ସମୟରେ ଗୋ ଚିକିସତ୍ା, ଟିକାଦାନ ଓ କୃତ୍ରିମ ପ୍ରଜନନ ପାଇଁ ଜନସାଧାରଣ ଏହି କେନ୍ଦ୍ରକୁ ଆସିଥାନ୍ତି। କିନ୍ତୁ କେନ୍ଦ୍ରରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ନୂଆହତା, ବୁଢ଼ାପଙ୍କ, ଭୋଗବେରେଣୀ ଓ ତୁବେ ଆଦି ପଞ୍ଚାୟତରେ ନୂତନ ଭାବେ ୪ଟି ପ୍ରାଣୀଧନ କେନ୍ଦ୍ର ନିର୍ମାଣ ପାଇଁ ୩ ବର୍ଷ ହେଲା ଘର ନିର୍ମାଣ ସରିଛି। ହେଲେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ସେହି ଅଞ୍ଚଳର ଲୋକେ ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ପାଇଁ ଅସୁବିଧା ଭୋଗୁଛନ୍ତି। ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପଚାରିବାରେ କହିଛନ୍ତି, ମରାମତି ଅଭାବରୁ ଚିକିତ୍ସା କେନ୍ଦ୍ର ଶୋଚନୀୟ ଅବସ୍ଥାରେ ରହିଛି। ସେହିପରି ମୋବାଇଲ ଭେଟ୍‌ନାରି ଅଧିକାରୀଙ୍କ ଆବଶ୍ୟକତା ଥିବାବେଳେ ବହୁ କେନ୍ଦ୍ରରେ ସହାୟକ ନାହାନ୍ତି। ନୂତନ ଭାବେ ନିର୍ମାଣ ହୋଇଥିବା କେନ୍ଦ୍ର ଗୁଡ଼ିକ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଅସୁବିଧା ହେଉଛି। ତୁରନ୍ତ ଏହାର ସମାଧାନ ପାଇଁ ଦାବି ହୋଇଛି।