ଅବ୍ୟବସ୍ଥାରେ ଅରେବେଡା ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ବିପଦସଙ୍କୁଳ କୋଠାରେ ପାଠପଢ଼ା; ବର୍ଷାରେ ଛାତରୁ ପାଣି ଗଳୁଛି

ଭବାନୀପାଟଣା/କଲମପୁର,୨୩।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ରଣମାଳ ପଞ୍ଚାୟତ ଅରେବେଡା ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଗତି କରୁଛି। ୧୯୪୨ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଏଠାରେ ସମୂଦାୟ ୧୮୦ ଜଣ ଛାତ୍ରୀଛାତ୍ର ଅୟନ କରୁଛନ୍ତି। ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୨ ଜଣ ଦ୍ୱିତୀୟରେ ୨୫, ତୃତୀୟରେ ୧୫, ଚତୁର୍ଥରେ ୨୧, ପଞ୍ଚମରେ ୧୪, ଷଷ୍ଠରେ ୩୩, ସପ୍ତମମରେ ୩୯ ଓ ଅଷ୍ଟମରେ ୨୧ ଜଣ ରହିଛନ୍ତି। ବିଦ୍ୟାଳୟରେ ମୋଟେ ୪ଟି କୋଠା ରହିଥିବାବେଳେ ଡିପିଇପି କୋଠା ଗୋଟିଏ ଏବଂ ଅନ୍ୟ କୋଠା ୩ଟି ରହିଛି। ସମୁଦାୟ ୪ଟି କୋଠାରୁ ୩ଟି କୋଠା ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇପଡିଛି। ଆଉ ଗୋଟାଏ କୋଠାରେ ସମସ୍ତ ଛାତ୍ରୀଛାତ୍ର ପାଠପଢୁ ଥିବାବେଳେ ସେହି କୋଠା ଦୀର୍ଘ ୨୫ ବର୍ଷ ତଳେ ନିର୍ମାଣ କରାଯାଇଥିଲା। ଉକ୍ତ କୋଠା ଛାତରୁ ବର୍ଷା ହେଲେ ପାଣି ଗଳୁଛି। ଅନ୍ୟପଟେ ଅଫିସ୍‌ ଗୃହ ଓ କମନରୁମରେ ମଧ୍ୟ ଛାତ ଉପରୁ ସିମେଣ୍ଟ ଅତଡା ଖସି ପଡୁଥିବା ବେଳେ କାନ୍ଥ ମଧ୍ୟ ଫାଟି ଅଁା କଲାଣି। ବିଭିନ୍ନ ସମୟରେ ସ୍କୁଲର ଏହି ଅବସ୍ଥା ନେଇ ଶିକ୍ଷକ, ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇ ଆସୁଛନ୍ତି। ହେଲେ ଆଜି ଯାଏଁ ସମସ୍ୟା କୌଣସି ସମାଧାନ ହୋଇପାରିନାହିଁ। ଫଳରେ ଛାତ୍ରୀଛାତ୍ରମାନେ ସେହି ବିପଦସଙ୍କୁଳ କୋଠାରେ ଶିକ୍ଷାଦାନ କରୁଛନ୍ତି। ଏହି ବିଦ୍ୟାଳୟ ଶ୍ରେଣୀ ଗୃହ ସମସ୍ୟାକୁ ଶୀଘ୍ର ସମାଧାନ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ ମାଝି, ବୈଦେହି ବାଗ, ଭୁପତି ଚନ୍ଦନ, ରମଣୀ ରଞ୍ଜନ ହଂସ, ବଳରାମ ଶବର, ସନାତନ ବାଗ, ଦୁଷ୍ମନ୍ତ ବେଣୁପାଣି, ତରୁଲତା ଲହଜଲ, ଦୁର୍ମିଲା ଶବର, ପଦ୍ମାବତୀ ବାଗ, କୌଶଲ୍ୟା ଧଙ୍ଗଡା ମାଝି, ୱାର୍ଡ ସଭ୍ୟ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ବିଆର୍‌ସିସି କରୁଣା କର ବାଗଙ୍କୁ ପଚାରିବାରୁ ଆମେ ଏହି ସ୍କୁଲର ସମସ୍ୟା ନେଇ ଉଚ୍ଚ ଅଧିକାରୀଙ୍କୁ ଜଣାଇଦେଇଛୁ।