Categories: ଖେଳ

ଅବହେଳିତ ପିଲାଙ୍କ ପାଇଁ ବ୍ୟାଟ ନିଲାମ କରିବେ ରାହୁଲ

ନୂଆଦିଲ୍ଲୀ,୨୦।୪ (ପି.ଟି.): ଅବହେଳିତ ପିଲାମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏବେ ଅଣ୍ଟା ଭିଡିଛନ୍ତି। ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ରେ ସେ ବ୍ୟବହାର କରିଥିବା ବ୍ୟାଟ୍‌ ଓ ଅନ୍ୟାନ୍ୟ କ୍ରୀଡ଼ା ସାମଗ୍ରୀ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଟୁଇଟରରେ ଏକ ଭିଡିଓ ରାହୁଲ ପୋଷ୍ଟ କରିଛନ୍ତି। ନିଲାମରୁ ମିଳିବାକୁ ଥିବା ଅର୍ଥ ସମାଜର ଅବହେଳିତ ଓ ନିଷ୍ପେଷିତ ପିଲାମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଖର୍ଚ୍ଚ ହେବ ଓ ଏହି ପିଲାମାନେ କିପରି ପଢିବେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ବ୍ୟବହାର କରିଥିବା କ୍ରିକେଟ ପ୍ୟାଡ, ଗ୍ଲୋଭ୍ସ, ହେଲ୍‌ମେଟ ଓ କେତୋଟି ଜର୍ସି ଆମ ପାର୍ଟନର ଭାରତ ଆର୍ମିକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ରାହୁଲ କହିଛନ୍ତି। ମିଳିବାକୁ ଥିବା ଅର୍ଥ ଆଓ୍ବାର ଫାଉଣ୍ଡେଶନକୁ ପ୍ରଦାନ କରାଯିବ। ଏହି ଫାଉଣ୍ଡେଶନ ପିଲାମାନଙ୍କ ପାଇଁ କାର୍ଯ୍ୟ କରିଥାଏ।
ଏହି ନିଲାମ ସୋମବାରଠାରୁ ଆରମ୍ଭ ହେବ। ଏଥିରେ ରାହୁଲଙ୍କ ବିଶ୍ୱକପ୍‌ ବ୍ୟାଟ, ଟେଷ୍ଟ, ଦିନିକିଆ ଓ ଟି୨୦ ଜର୍ସିକୁ ସାମିଲ କରାଯିବ। ବ୍ୟାଟିଂ ଗ୍ଲୋଭ୍ସ, ହେଲମେଟ ଓ ପ୍ୟାଡ୍‌କୁ ମଧ୍ୟ ଏହି ନିଲାମରେ ସାମିଲ କରାଯିବ। ଏହି ନିଲାମରେ ସାମିଲ ହେବାକୁ ରାହୁଲ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି।

Share