ଅବହେଳିତ କନ୍ଧଗୁଡ଼ା ପ୍ରାଥମିକ ବିଦ୍ୟାଳୟ: ଗୋଟିଏ କୋଠରିରେ ଚାଲିଛି ପାଞ୍ଚ ଶ୍ରେଣୀ

କୋରୁକୋଣ୍ଡା,୨୪।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ କନ୍ଧଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୮ ଜଣ ଛାତ୍ରୀଛାତ୍ର। ପ୍ରଥମରେ ୧୨, ଦ୍ୱିତୀୟରେ ୩, ତୃତୀୟରେ ୧, ଚତୁର୍ଥରେ ୭ ଓ ପଞ୍ଚମରେ ୫ ଛାତ୍ରୀଛାତ୍ର ଅଛନ୍ତି। ମାତ୍ର ବିଦ୍ୟାଳୟରେ ୨ଟି ଶ୍ରେଣୀ ଗୃହ ଥିବାରୁ ଗୋଟିଏରେ ସମସ୍ତ ଛାତ୍ରୀଛାତ୍ର ପଢ଼ୁଛନ୍ତି। କାରଣ ଅନ୍ୟ ଏକ ଶ୍ରେଣୀଗୃହର ଛାତ ଫାଟିଥିବାରୁ ବର୍ଷା ପାଣି ପଡୁଛି। ଏନେଇ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ରାୟଙ୍କୁ ପଚାରିବାରୁ ସେ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ପ୍ରକାଶ କରିଛନ୍ତି।