Categories: ଖେଳ

ଅବସର ନେଇ ସ୍ପଷ୍ଟ କଲେ ସୋଏବ ମଲିକ

ଲଣ୍ଡନ,୭।୭(ଏଏଫ୍‌ପି)- ପାକିସ୍ତାନ ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୋଏବ ମଲିକ୍‌ ଅବସର ନେଇ ସୂଚନା ଦେଇଛନ୍ତି। ସେ ଦିନିକିଆ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବିଶ୍ୱକପ୍‌ରେ ସେ ଦଳରୁ ବାଦ୍‌ ପଡିଥିଲେ। ପାକିସ୍ତାନ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶୁକ୍ରବାର ବାଂଲାଦେଶକୁ ୯୪ ରନରେ ହରାଇଥିଲା ଓ ସେ ଏହି ମ୍ୟାଚ୍‌ରେ ଖେଳି ନ ଥିଲେ। ଫଳରେ ବିନା ଫେୟାରଓ୍ବେଲ ମ୍ୟାଚ୍‌ ଖେଳି ସେ ଅବସର ନେବା ସ୍ପଷ୍ଟ ହୋଇଛି। ବିଶ୍ୱକପ୍‌ ପରେ ଅବସର ନେବେ ବୋଲି ମଲିକ ଗତବର୍ଷ କହିଥିଲେ।
ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ୩୭ ବର୍ଷୀୟ ମଲିକ ଟି୨୦ ଫର୍ମାଟରେ ଖେଳ ଜାରି ରଖିବେ। ଅବସର ନେବା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଚଳିତ ବିଶ୍ୱକପ୍‌ରେ ସେ ୩ଟି ମ୍ୟାଚ୍‌ ଖେଳି ଦୁଇଥର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ଫଳରେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହାରିସ ସୋହେଲଙ୍କୁ ସାମିଲ କରାଯାଇଥିଲା। ଅବସର ନିଷ୍ପତ୍ତି ନିଶ୍ଚିତ ଭାବେ କଷ୍ଟକର। ଏହା ମୋତେ ଦୁଃଖ ଦେଇଛି। ଏବେ ପରିବାର ସହ ସମୟ ବିତାଇବାକୁ ସମୟ ପାଇବି। ଆସନ୍ତାବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଉପରେ ମନୋନିବେଶ କରିବି ବୋଲି ମଲିକ କହିଛନ୍ତି।
ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ବାଂଲାଦେଶକୁ ହରାଇଥିଲେ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିପାରିନାହିଁ। ପୂର୍ବରୁ ପାକିସ୍ତାନ ଇମ୍ରାନ ଖାଁଙ୍କ ନେତୃତ୍ୱରେ ୧୯୯୨ ବିଶ୍ୱକପ୍‌ ହାସଲ କରିଥିଲା। ୯ଟି ମ୍ୟାଚ୍‌ ଖେଳି ସାମାନ ୧୧ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଉନ୍ନତ ରନ୍‌ରେଟ୍‌ରେ ପଛରେ ପକାଇ ପାକିସ୍ତାନକୁ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିଥିଲା। ମଲିକ ୨୮୭ଟି ଦିନିକିଆ ଖେଳି ୯ଟି ଶତକ ସହ ୭,୫୩୪ ରନ ସଂଗ୍ରହ କରିଛନ୍ତି। ଗତ ୧୬ ତାରିଖରେ ସେ ଭାରତ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଶେଷଥର ପାଇଁ ଅଂଶଗ୍ରହଣ କରିଥିଲେ। ଅଫ୍‌ ସ୍ପିନର ହିସାବରେ ସେ ୧୫୮ଟି ଉଇକେଟ ମଧ୍ୟ ହାସଲ କରିଥିଲେ। ୪୧ ଦିନିକିଆରେ ସେ ପାକିସ୍ତାନର ନେତୃତ୍ୱ ନେଇଥିଲେ। ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇବାକୁ ଚାହିଁଥିଲି। କିନ୍ତୁ କଥା ଅଲଗା ହେଲା। ଫଳରେ ନିରାଶ ହୋଇଛି ବୋଲି ମଲିକ ସ୍ବୀକାର କରିଛନ୍ତି। ଗୋଟିଏ, ଦୁଇଟି ମ୍ୟାଚ୍‌ ପ୍ରଦର୍ଶନରୁ ଜଣେ ଖେଳାଳିଙ୍କ ଦକ୍ଷତା ମାପିବା ଠିକ୍‌ ନୁହଁ। କିନ୍ତୁ ମୋ ବଦଳରେ ଦଳରେ ସ୍ଥାନ ପାଇଥିବା ହାରିସ ସୋହେଲ ଭଲ ପ୍ରଦର୍ଶନ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ମଲିକ କହିଛନ୍ତି। ପାକିସ୍ତାନ ପାଇଁ ୨୦ ବର୍ଷ କ୍ରିକେଟ ଖେଳିବି ବୋଲି କେବେ ଭାବି ନ ଥିଲି। ଭଲ ଖେଳିବା ପାଇଁ ସବୁବେଳେ କଠିନ ପରିଶ୍ରମ କରିଆସିଛି ଓ ଫଳ ମଧ୍ୟ ପାଇଛି। ଦିନିକିଆ କ୍ୟାରିୟର ନେଇ ବେଶ୍‌ ସନ୍ତୁଷ୍ଟ। ଚାମ୍ପିୟନ୍ସ ଟ୍ରଫି ଜିତିବା ମୋ ଦିନିକିଆ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ବୋଲି ମଲିକ କହିଛନ୍ତି।

Share