Categories: ଖେଳ

‘ଅବସର ନେଇ ଏବେ ଧୋନୀଙ୍କର ଯୋଜନା ନାହିଁ’

ନୂଆଦିଲ୍ଲୀ,୨୦।୭(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କର ଏବେ ଅବସର ନେଇ କୌଣସି ଯୋଜନା ନାହିଁ। ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ତାଙ୍କ ଦୀର୍ଘଦିନର ବନ୍ଧୁ ତଥା ବିଜ୍‌ନେସ୍‌ ପାର୍ଟନର ଅରୁନ ପାଣ୍ଡେ। ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବା ପରେ ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ଓ କଳ୍ପନାଜଳ୍ପନା ଚାଲିଛି। ତେବେ ଧୋନୀଙ୍କର ଏବେ ଏ ନେଇ କୌଣସି ଯୋଜନା ନାହିଁ ବୋଲି ପାଣ୍ଡେ ସ୍ପଷ୍ଟ କରିଛନ୍ତି। ରବିବାର ଭାରତ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଦଳ ଘୋଷଣା କରାଯିବାର କାର୍ଯ୍ୟକ୍ରମ ଥିବା ବେଳେ ପାଣ୍ଡେ ଏପରି କହିଛନ୍ତି। ଦଳ ଘୋଷଣା ପରେ ଯାଇ ଧୋନୀ କୌଣସି ନିଷ୍ପତ୍ତି ନେବେ। ଏସଂକ୍ରାନ୍ତରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧିକାରୀମାନେ ଧୋନୀଙ୍କ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ୩୮ ବର୍ଷରେ ପଦାର୍ପଣ କରିଥିବା ଧୋନୀଙ୍କୁ ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳରେ ସାମିଲ କରା ନ ଯାଇପାରେ। ଧୋନୀ ଏପର୍ଯ୍ୟନ୍ତ ୩୫୦ଟି ଦିନିକିଆ, ୯୦ଟି ଟେଷ୍ଟ ଓ ୯୮ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ମଧ୍ୟ ଦିନିକିଆରେ ୫୦ରୁ ଊର୍ଦ୍ଧ୍ୱ ହାରରେ ୧୦, ୭୭୩ ରନ ସଂଗ୍ରହ କରିଛନ୍ତି। ସେହିପରି ଟେଷ୍ଟରେ ସେ ୩୮.୦୯ ରନ ହାରରେ ୪୮୭୬ ରନ ସଂଗ୍ରହ କରିଛନ୍ତି।

Share