ଅବରୋଧମୁକ୍ତ ହେଲା ପଣସୁରିଆ ପାଣିନାଳ

ତିହିଡ଼ି, ୧୮।୭ (ଡି.ଏନ.ଏ.) – ତିହିଡ଼ି ତହସିଲ ଅଧୀନ ମଙ୍ଗରାଜପୁର ମୌଜାରେ ଥିବା ପଣସୁରିଆ ପାଣିନାଳ ଗୁରୁବାର ଅବରୋଧମୁକ୍ତ ହୋଇଛି। ତହସିଲଦାର ଅନିତା ନାୟକ ଓ ତିହିଡ଼ି ଥାନା ପୋଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ନାଳକୁ ଜବରଦଖଲ କରି କେତେକ ବ୍ୟକ୍ତି ଦୋକାନ କ୍ୟାବିନ ପକାଇଥିଲେ। ଏଥିପାଇଁ ମଙ୍ଗରାଜପୁର ମୌଜାରେ ଥିବା ଚାଷଜମିରୁ ପାଣି ନିଷ୍କାସିତ ହୋଇପାରୁ ନ ଥିଲା। ଫଳରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏ ସମ୍ପର୍କରେ କେତେକ ଚାଷୀ ତିହିଡ଼ି ତହସିଲ କାର୍ଯ୍ୟାଳୟରେ ବିଭିନ୍ନ ସମୟରେ ଅଭିଯୋଗ କରିଥିଲେ। ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବରଦଖଲକାରୀଙ୍କ ବିରୋଧରେ ଅବରୋଧ ମକଦ୍ଦମା କରାଯାଇଥିଲା। ଗୁରୁବାର ଉଚ୍ଛେଦ ହେବା ସମ୍ପର୍କରେ ସେମାନଙ୍କୁ ନୋଟିସ୍‌ ମଧ୍ୟ ଦିଆଯାଇଥିଲା।