ଅବଧି ସରିଲାଣି, ସରିନି ନିର୍ମାଣ କାର୍ଯ୍ୟ

କାଳିଆପାଣି,୭।୨(ଡିଏନଏ): ସୁକିନ୍ଦା ତହସିଲ ଅନ୍ତର୍ଗତ କୁହିକା ଗ୍ରାମ ପଞ୍ଚାୟତ ଟମକା – ମଙ୍ଗଳପୁର, ଆର୍‌ଆଣ୍ଡ୍‌ବି ରାସ୍ତା ନିକଟରୁ ଜେମାଦେଇପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଚାଲିଛି। ମାତ୍ର ଏହି ରାସ୍ତା ନିମ୍ନମାନର ହୋଇଥିବାରୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ୪୮ଲକ୍ଷ ୭୦ ହଜାର ଟଙ୍କା ବିନିଯୋଗରେ କାର୍ଯ୍ୟାଦେଶ ହୋଇଥିବା ଏହି ରାସ୍ତା କାର୍ଯ୍ୟ ୧୨।୯।୨୦୧୮ରୁ ଆରମ୍ଭ ହୋଇ ୧୧।୨।୨୦୧୯ରେ ଶେଷ କରିବା ନେଇ ସରକାରୀ ନାମ ଫଳକରେ ଉଲ୍ଲେଖ ରହିଛି। ମାତ୍ର ଅବଧି ଶେଷ ହେବାର ବର୍ଷେ ପରେ ବି ଏଯାବତ୍‌ ନିର୍ମାଣ ସରିନାହିଁ। ଯାଜପୁର ଟାଉନ୍‌ ଅଞ୍ଚଳର ଠିକାଦାର ଅମିତାଭ ପାଲ୍‌ ରାସ୍ତା ନିର୍ମାଣ ଆରମ୍ଭ କରିଥିବାବେଳେ ଏହା ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବାରୁ ନିର୍ମାଣ କାର୍ଯ୍ୟ ଏବେ ବନ୍ଦ ରହିଥିବା ଜଣାପଡିଛି। ରାସ୍ତା କାର୍ଯ୍ୟ ଆରମ୍ଭ ପୂର୍ବରୁ ମୋରମ ବ୍ୟବହାର କରିବା ପରେ ପାଣି ପକାଇ ତାକୁ ରୋଲିଂ କରିବାର ନିୟମ ରହିଛି। କିନ୍ତୁ ଠିକାଦାର ଏହି ନିୟମକୁ ପାଳନ କରୁ ନ ଥିବା ଜଣାପଡ଼ିଛି। ରାସ୍ତାର ଉଭୟ ପାର୍ଶ୍ୱରୁ ମାଟି ଉଠାଇ ଠିକାଦାର ରାସ୍ତା କାର୍ଯ୍ୟରେ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ସେହିପରି ପିଚୁ ପକାଯିବା କ୍ଷେତ୍ରରେ ମଧ୍ୟ ବହୁ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା ନିର୍ମାଣ ସମୟରେ ସରକାରୀ ଅଧିକାରୀ ଉପସ୍ଥିତ ରହୁଥିବାବେଳେ ଠିକାଦାର କିପରି କାର୍ଯ୍ୟରେ ଅନିୟମିତତା କରୁଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଏସ୍‌ଡିଓ ଭେଙ୍କଟରମଣ ମୁଦୁଲିଙ୍କୁ ପଚାରିବାରୁ, ସେ ସୁକିନ୍ଦା ସହ କୋରେଇ ଦାୟିତ୍ୱ ସମ୍ଭାଳୁ ଥିବା କହିବା ସହିତ ରାସ୍ତା ଅନିୟମିତତା ସମ୍ପର୍କରେ ଥିବା ପ୍ରଶ୍ନକୁ ଏଡାଇ ଯାଇଥିଲେ। ଏହି ରାସ୍ତା ନିର୍ମାଣର ଭିଜିଲାନ୍ସ ତଦନ୍ତ କରିବାକୁ କୁହିକା- ଜେମାଦେଇପୁର ଗ୍ରାମବାସୀ ଦାବି କରିଛନ୍ତି। ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଧ୍ୟାନଦେଇ ଏହାର ତୁରନ୍ତ ତଦନ୍ତ କରି ବିଭାଗୀୟ ଠିକାଦାର ଲାଇସେନ୍ସ ରଦ୍ଦ କରିବାକୁ ଦାବି ହୋଇଛି। ସେବିଭଳି ବିଭାଗୀୟ ଅଧିକାରୀଙ୍କ ଅଳସୁଆ ମନଭାବକୁ ନା ପିସି ପାଇଁ ଏଭଳି କାର୍ଯ୍ୟ ହୋଇଛି ତାହା ତଦନ୍ତ ନିହାତି କରିବା ଦରକାର ବୋଲି ବୃଦ୍ଧିଜୀବୀ ମହଲରେ ଦାବି ହୋଇଛି।